ପୁଣି ୧୭୩ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୮୧କୁ ବୃଦ୍ଧି

ଭୁବନେଶ୍ୱର: ଆଜି ଗୋଟିଏ ଦିନରେ ୧୭୩ କରୋନା ପଜିଟିଭ୍ ଚିହ୍ନଟ ହେବା ଫଳରେ ଏକ ନୂଆ ରେକର୍ଡ଼ ସୃଷ୍ଟି ହୋଇଛି ରାଜ୍ୟରେ। ଏଯାବତ୍ ଏତେ ସଂଖ୍ୟକ ଆକ୍ରାନ୍ତ ଏକାଥରକରେ ଚିହ୍ନଟ ହୋଇ ନଥିଲେ। ଏହା ଫଳରେ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୭୮୧ରେ ବୃଦ୍ଧି ପାଇଛି।


ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୨୩ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୧୫୦ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି।


ଆଜି ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୬୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାଛଡ଼ା ଖୋର୍ଦ୍ଧା ଜିଲ୍ଲାରେ ୯ଜଣ ଚିହ୍ନଟ ହୋଇଥିବା ବେଳେ, ନୟାଗଡ଼ରେ ୭, ମୟୂରଭଞ୍ଜ ଓ କଟକ ଜିଲ୍ଲାରୁ ୧୩ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବାଲେଶ୍ୱର ଓ ବଲାଙ୍ଗୀର ଜିଲ୍ଲାରୁ ୧୧ଜଣ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଝାରସୁଗୁଡ଼ା ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଯାଜପୁର ଜିଲ୍ଲାରୁ ୧୯ ଜଣ ଚିହ୍ନଟ ହୋଇଛନ୍ତି। କଳାହାଣ୍ଡିରୁ ୨ଜଣ,  ନୂଆପଡ଼ା ଜିଲ୍ଲାରୁ ୮ଜଣ ଚିହ୍ନଟ ହୋଇଥିବା ବେଳେ, ଭଦ୍ରକରୁ ୪ ଓ ଗଜପତି ଜିଲ୍ଲାରୁ ୧୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।