ଜୁନ ୧୦ରେ ଓଡିଶା ଛୁଇଁବ ମୌସୁମୀ !

ଭୁବନେଶ୍ୱର : ଜୁନ୍ ୧୦ରେ ମୌସୁମୀ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛି ଘରୋଇ ପାଣିପାଗ ସଂସ୍ଥା ‘ସ୍କାଏମେଟ୍’। ସଂସ୍ଥା ଆକଳନ କରିଛି ଯେ ନିର୍ଦ୍ଧାରିତ ସମୟ ପୂର୍ବରୁ କେରଳ ଛୁଇଁବ ମୌସୁମୀ। ମେ’ ୨୦ ବେଳକୁ ମୌସୁମୀ ଆଣ୍ଡାମାନ ଓ ନିକୋବରକୁ ସ୍ପର୍ଶ କରିବ। ଏହାର ୧୦ ଦିନ ପରେ ଅର୍ଥାତ୍ ଜୁନ୍ ୧ ବେଳକୁ କେରଳ ଛୁଇଁବ। ଦେଶରେ ପ୍ରାୟ ୪ ମାସ ଧରି ମୌସୁମୀ ରହିବ। ପ୍ରଥମ ପର୍ୟ୍ୟାୟରେ କୋଚି, ଥିରୁଅନନ୍ତପୁରମ୍, ଚେନ୍ନାଇ ସମେତ ତାମିଲନାଡ଼ୁର ବିଭିନ୍ନ ଅଞ୍ଚଳ ଛୁଇଁବ। ଏହି ସମୟରେ ଉତ୍ତରପୂର୍ବ ଭାରତର ମଣିପୁର, ମିଜୋରାମ ଓ ତ୍ରିପୁରାକୁ ବି ସ୍ପର୍ଶ କରିବ। ଏହାପରେ ଜୁନ୍ ୫ ବେଳକୁ କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶ ପ୍ରବେଶ କରିବା ସହିତ ଓଡ଼ିଶା ଆଡ଼କୁ ଅଗ୍ରସର ହେବ। ଜୁନ୍ ୧୦ ତାରିଖରେ ମୌସୁମୀ ଓଡ଼ିଶାରେ ପ୍ରବେଶ କରିବ ବୋଲି ପୂର୍ବାନୁମାନ କରିଛି ସ୍କାଏମେଟ୍। ଓଡ଼ିଶା ସମେତ ମୁମ୍ବାଇ, କୋଲକାତା, ମହାରାଷ୍ଟ୍ର, ଛତିଶଗଡ଼, ଝାଡ଼ଖଣ୍ଡ ଓ ବିହାର ଆଦି ରାଜ୍ୟରେ ମୌସୁମୀ ପ୍ରବେଶ କରିବ। ଜୁଲାଇ ୧ ବେଳକୁ ସାରା ଦେଶକୁ ମୌସୁମୀ ଛୁଇଁ ଯାଇଥିବ। ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା ସ୍ୱାଭାବିକ ରହିବ। ପ୍ରାୟ ୯୩ ପ୍ରତିଶତ ବର୍ଷା ହେବ। ମୌସୁମୀ ପ୍ରଭାବରେ ସ୍ୱାଭାବିକ ବର୍ଷା ହେବା ଫଳରେ ଖରିଫ ଋତୁରେ ଚାଷବାସ ପାଇଁ ଅନୁକୂଳ ପାଗ ସୃଷ୍ଟି ହେବ ବୋଲି ପୂର୍ବାନୁମାନ କରାଯାଇଛି।