ଅନିର୍ଦ୍ଦିଷ୍ଟ କାଳଯାଏଁ ରାଜ୍ୟସଭା ମୁଲତବୀ

ନୂଆଦିଲ୍ଲୀ: କରୋନାଭାଇରସ୍ ମହାମାରୀ ଯୋଗୁଁ ଅକ୍ଟୋବର ପହିଲା ପର୍ଯ୍ୟନ୍ତ ଚାଲିବାକୁ ସମୟ ନିର୍ଘଣ୍ଟ ଧାର୍ଯ୍ୟ ହୋଇଥିବା ସଂସଦର ମୌସୁମୀ ଅଧିବେଶନକୁ ବୁଧବାର ଦିନ କମାଇ ଦିଆଯାଇଛି। ସେହିଭଳି ରାଜ୍ୟସଭାକୁ ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି।

ସଂସଦ ୧୦ ଦିନ ଚାଲିବା ସହ ୨୫ଟି ବିଧେୟକ ପାରିତ ହେବା ପରେ ଅଧିବେଶନ ବାତିଲ ‌କରାଯାଇଛି। ଏହା ବ୍ୟତିରେକେ, ଏହି ଅଧିବେଶନରେ ଛଅଟି ବିଧେୟକ ଦାଖଲ କରାଯାଇଛି।

ସାଧାରଣତଃ ଜୁଲାଇ ମଧ୍ୟ ଭାଗରେ ଆରମ୍ଭ ହେଉଥିବା ସଂସଦର ମୌସୁମୀ ଅଧିବେଶନ କରୋନାଭାଇରସ୍ ମହାମାରୀ କାରଣରୁ ଏଥର ପ୍ରାୟ ଏକ ମାସ ବିଳମ୍ବରେ ଆରମ୍ଭ ହୋଇଥିଲା। ସଂସଦରେ ସଦସ୍ୟମାନଙ୍କ ଉପସ୍ଥାନ ସ୍ୱଳ୍ପ ରହିବା ଓ କେତେକ ସଦସ୍ୟ କୋଭିଡ୍-୧୯ ସଂକ୍ରମିତ ହେବା କାରଣରୁ ଅଧିବେଶନକୁ ସଂକ୍ଷିପ୍ତ କରାଯାଇଛି। କିନ୍ତୁ, ସେପ୍ଟେମ୍ବର ୧୪ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୧ ପର୍ଯ୍ୟନ୍ତ ଚାଲିବାକୁ ସ୍ଥିର କରାଯାଇଥିବା ଏଥରର ମୌସୁମୀ ଅଧିବେଶନରେ ସମୁଦାୟ ୧୮ଟି ବୈଠକ ଧାର୍ଯ୍ୟ କରାଯାଇଥିଲା।

ସେହିଭଳି ରାଜ୍ୟସଭାର ଏହାଥିଲା ୨୫୨ତମ ଅଧିବେଶନ। ୧୯୫୨ ମସିହାରେ ରାଜ୍ୟସଭା ସୃଷ୍ଟି ହେବା ପର ଠାରୁ ଏହା ହେଉଛି ତୃତୀୟ କ୍ଷୁଦ୍ରତମ ଅଧିବେଶନ।

ଏଥରକୁ ଲଗାଇ ରାଜ୍ୟସଭାରେ ସର୍ବମୋଟ୍‌ ୬୯ଟି ମୌସୁମୀ ଅଧିବେଶନ ହେଲାଣି। ୧୯୭୯ ଜୁଲାଇରେ ଅନୁଷ୍ଠିତ ୧୧୦ତମ ଅଧିବେଶନ ଏବଂ ୧୯୯୯ରେ ଅନୁଷ୍ଠିତ ୧୮୭ତମ ଅଧିବେଶନରେ ମାତ୍ର ୬ଟି ବୈଠକ ଆୟୋଜିତ ହୋଇଥିଲା। ଏହା ତୁଳନାରେ ଏଥରର ରାଜ୍ୟସଭାରେ ୧୦ଟି ବୈଠକ ବସିଛି।