ସଅଳ ଆସିବ ମୌସୁମୀ,ଜୁନ ୬ରେ ଓଡିଶା ଚୁଇଁବ

ନୂଆଦିଲ୍ଲୀ : ଏଥର ମୌସୁମୀ ପ୍ରବାହ ଆଗୁଆ ହେବ । ଆସନ୍ତା ୨୯ରେ ମୌସୁମୀ କେରଳ ଉପକୂଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏ ସମ୍ପର୍କରେ ଆଇଏମ୍ଡି ପକ୍ଷରୁ କୁହାଯାଇଛି, “ଦକ୍ଷିଣ-ପଶ୍ଚିମ ମୌସୁମୀ ସାଧାରଣତଃ ଜୁନ୍ ୧ରେ କେରଳ ଉପକୂଳ ସ୍ପର୍ଶ କରିଥାଏ । କିନ୍ତୁ ଚଳିତ ବର୍ଷ ୩ ଦିନ ଆଗରୁ ମୌସୁମୀ କେରଳ ଉପକୂଳ ଛୁଇଁବ ।”
ସେହିପରି ଓଡିଶାରେ ମଧ୍ୟ ଏଥର ମୌସୁମୀ ଆଗୁଆ ପହଁଚିବ । ୧୦ ଦିନ ଆଗରୁ ଅର୍ଥାତ ଜୁନ ୬ ବେଳକୁ ଓଡିଶା ଚୁଇଁବ ମୈସୁମୀ ବାୟୁ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଏହା ଦ୍ୱାରା ବର୍ଷା ଋତୁ ଆରମ୍ଭ ହୋଇଯିବ ଏବଂ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜର୍ଜରିତ ହେଉଥିବା ଅଞ୍ଚଳ ଆଶ୍ୱସ୍ତ ହେବ । ଆଣ୍ଡାମାନ ସାଗର ଉପରେ ମୌସୁମୀର ଅଗ୍ରଗତି ସମ୍ପର୍କରେ ଆଇଏମ୍ଡି ଆଜି କହିଛି, ଦକ୍ଷିଣ-ପଶ୍ଚିମ ମୌସୁମୀ ଆଣ୍ଡାମାନ ସାଗର ଉପରେ ସାଧାରଣତଃ ମେ’ ୨୦ ସୁଦ୍ଧା ଅଗ୍ରଗତି କରିଥାଏ । ସ୍ଥିତି ଅନୁକୂଳ ରହିବା ସମ୍ଭାବନା ଥିବାରୁ ଏହା ଦକ୍ଷିଣ-ପଶ୍ଚିମ ମୌସୁମୀର ଅଗ୍ରଗତି ପାଇଁ ସହାୟକ ହେବ ଏବଂ ମେ’ ୨୩ ସୁଦ୍ଧା ଆଣ୍ଡାମାନ ସାଗର ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଆଡ଼କୁ ଗତି କରିବ । ଭାରତୀୟ ପାଣିପାଗ ବିଭାଗ ୨୦୦୫ରୁ କେରଳରେ ମୌସୁମୀର ପ୍ରବେଶ ତାରିଖ ସମ୍ପର୍କରେ ଭବିଷ୍ୟବାଣୀ କରିଆସୁଛି । ବିଗତ ୧୩ ବର୍ଷ ମଧ୍ୟରେ ଆଇଏମ୍ଡିର ପୂର୍ବାନୁମାନ ଠିକ୍ ପ୍ରମାଣିତ ହୋଇଥିଲା ବେଳେ କେବଳ ୨୦୧୫ରେ ଏହାର ବ୍ୟତିକ୍ରମ ଘଟିଥିଲା । ଚଳିତ ବର୍ଷର ମୌସୁମୀ ପ୍ରବାହ ସମ୍ପର୍କରେ ଆଇଏମ୍ଡି ପ୍ରଥମ ଭବିଷ୍ୟବାଣୀ କରିବାର ମାସକ ପରେ ମୌସୁମୀ ପ୍ରବେଶ ତାରିଖ ଘୋଷଣା କରିଛି । ଗତ ଏପ୍ରିଲ ୧୬ରେ ଏହା ଚଳିତ ବର୍ଷ ‘ସ୍ୱାଭାବିକ’ ମୌସୁମୀ ପ୍ରବାହ ହେବ ବୋଲି ଦର୍ଶାଇଥିଲା । ଏଥରକୁ ମିଶାଇ କ୍ରମାଗତ ୩ ବର୍ଷ ଧରି ଆଇଏମ୍ଡି ମୌସୁମୀ ପ୍ରବାହ ସ୍ୱାଭାବିକ ହେବ ବୋଲି କହିଛି । ଅବଶ୍ୟ ଗତ ବର୍ଷ ବର୍ଷା ସ୍ୱାଭାବିକ ଠାରୁ କମ୍ ହୋଇଥିଲା । ଜୁନ୍ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ୪ ମାସ ବର୍ଷା ଋତୁରେ ବୃଷ୍ଟିପାତ ଲଙ୍ଗ୍ ପିରିଅଡ୍ ଆଭ୍ରେଜ୍ (ଏଲ୍ପିଏ) ୯୬%ରୁ ୧୦୪ ପ୍ରତିଶତ ହେଲେ ସ୍ୱାଭାବିକ ବୋଲି ଧରାଯାଏ । ଆଇଏମ୍ଡି ପୁଣି ଜୁନ୍ ପ୍ରାରମ୍ଭରେ ଏ ସମ୍ପର୍କରେ ଭବିଷ୍ୟବାଣୀ କରିବ ଏବଂ ବିଭିନ୍ନ ସ୍ଥାନ ଓ ମାସରେ କିଭଳି ବର୍ଷା ହେବ, ସେ ସମ୍ପର୍କରେ ପୂର୍ବାଭାସ ଦେବ ।