ନୂଆଦିଲ୍ଲୀ : ଜୁନ ପ୍ରଥମାର୍ଦ୍ଧରେ ଅଧିକ ସକ୍ରିୟ ରହିବା ପରେ ମୌସୁମୀ ଦୁର୍ବଳ ହୋଇଯାଇଛି । ତେବେ ଆସନ୍ତା ୫-୬ ଦିନ ମଧ୍ୟରେ ଏହା ପୁଣି ଥରେ ସକ୍ରିୟ ହେବ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ । ମୌସୁମୀ ପ୍ରବାହରେ ମଝିରେ ମଝିରେ ଏଭଳି ମାନ୍ଦାବସ୍ଥା ସୃଷ୍ଟି ହେବା ସ୍ୱାଭାବିକ ବୋଲି ବିଭାଗ ତରଫରୁ କୁହାଯାଇଛି । ଭାରତୀୟ ପାଣିପାଗ ବିଭାଗର ଅତିରିକ୍ତ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଦକ୍ଷିଣ ପଶ୍ଚିମ ମୌସୁମୀର ଉତ୍ତର ସୀମା ଥାନେ, ମୁମ୍ବାଇ, ଅହମଦନଗର, ଅମରାବତୀ, ବୁଲଧାନା, ଗୋନ୍ଦିଆ, ଟିଟଲାଗଡ଼, କଟକ, ମିଦନାପୁର, ଗୋଆଲପଡ଼ା ଓ ବାଗଦୋଗଡ଼ା ଦେଇ ଗତି କରିବାରେ ଲାଗିଛି । ଏହା ଆଗକୁ ମୌସୁମୀ ଗତି କରିପାରି ନାହିଁ । ଜୁନ ୧୫ ତାରିଖ ପର୍ଯ୍ୟନ୍ତ ଏହା ଅତ୍ୟନ୍ତ ସକ୍ରିୟ ୬ ଥିଲା । ଏବେ ଟିକେ ଧିମେଇ ଯାଇଛି । ତେବେ ଆସନ୍ତା ୫-୬ ଦିନ ମଧ୍ୟରେ ଏହା ପୁଣି ଥରେ ସକ୍ରିୟ ହେବ ବୋଲି ସେ କହିଛନ୍ତି ।
ଚଳିତ ବର୍ଷ ନିର୍ଦ୍ଧାରିତ ସମୟର ୩ ଦିନ ଆଗରୁ ମେ ୨୯ ତାରିଖରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ମାଟି ମାଡ଼ିଥିଲା । ଏହାର କିଛି ଦିନ ଭିତରେ ଏହା ଭାରତର ପଶ୍ଚିମ ଓ ଉତ୍ତରପୂର୍ବ ଅଂଚଳରେ ବୃଷ୍ଟିପାତ କରାଇଥିଲା । ମହାପାତ୍ର କହିଛନ୍ତି ଯେ ଜୁନ ୨୩-୨୪ ତାରିଖରୁ ଓଡ଼ିଶା ଓ ପୂର୍ବ ଭାରତର ଅନ୍ୟ ରାଜ୍ୟଗୁଡ଼ିକରେ ଭଲ ବର୍ଷା ହେବ । ଜୁନ ୨୬ ତାରିଖରୁ ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ ଓ ଦାକ୍ଷିଣାତ୍ୟର ଅନ୍ୟ ଅଂଚଳରେ ମୌସୁମୀ ସକ୍ରିୟ ହେବ ।
ସୋମବାର କୋଙ୍କଣ, ଗୋଆ ଓ ଉପକୂଳ କର୍ଣ୍ଣାଟକରେ ପ୍ରବଳରୁ ଅତି ପ୍ରବଳ ଏବଂ ପଶ୍ଚିମ ବଙ୍ଗ ଓ ସିକ୍କିମର ହିମାଳୟ ପାଦଦେଶ ଅଂଚଳ ତଥା କେନ୍ଦ୍ରୀୟ ମହାରାଷ୍ଟ୍ର ଓ କେରଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପଞ୍ଜାବରେ କରକାପାତ ସହିତ ଝଡ଼ବର୍ଷା ଏବଂ ଜାମ୍ମୁକାଶ୍ମୀର, ହିମାଚଳ ପ୍ରଦେଶ, ହରିଆନା, ଚଣ୍ଡିଗଡ଼, ଦିଲ୍ଲୀ ଓ ମରାଠାୱାଡ଼ାରେ ଝଡ଼ବର୍ଷା ସଙ୍ଗକୁ ବତାସ ବହିବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ତରଫରୁ ସତର୍କ କରାଇ ଦିଆଯାଇଛି ।
Prev Post