ଲୁଚକାଳି ଖେଳୁଛି ମୌସୁମୀ : ୧୩ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ କମ ବର୍ଷା

ତିନି, ଚାରି ଦିନ ଭିତରେ ପୁଣି ସକ୍ରୀୟ ହେବ ମୌସୁମୀ

ଭୁବନେଶ୍ୱର : ମୌସୁମୀ ବାୟୁ ଆସୁଛି ଆସୁଛି ବୋଲି ଢେର କିଛି ଦିନ ଧରି ଚର୍ଚ୍ଚା ହେଲା । ଅନେକ ସମୟରେ ପାଣିପାଗ ବିଭାଗର ଆକଳନକୁ ଭୁଲ ବୋଲି ବି ପ୍ରମାଣିତ କଲା । ଆଉ ଶେଷରେ ସାମାନ୍ୟ ବିଳମ୍ବରେ ଜୁନ ଦ୍ୱିତୀୟ ସପ୍ତାହରେ ଓଡିଶା ଛୁଇଁଥିଲା ମୌସୁମୀ ବାୟୁ । ହେଲେ ପୁଣି ଥରେ ଲୁଚକାଳି ଖେଳିବା ଆରମ୍ଭ କରିଛି ମୌସୁମୀ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଜୁନରୁ ଏଯାଏ ୧୩ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ କମ ବର୍ଷା ହୋଇଛି । ଗଜପତି ଜିଲ୍ଲାରେ ସ୍ୱାଭାବିକ ଠାରୁ ୬୦ ପ୍ରତିଶତ କମ ବର୍ଷା ରେକର୍ଡ କରାଯାଇଛି । ସେହିପରି ବାଲେଶ୍ୱରରେ –୪୦ ପ୍ରତିଶତ, ରାୟଗଡ଼ା–୩୯ ପ୍ରତିଶତ, କନ୍ଧମାଳ–୩୫ ପ୍ରତିଶତ, ମୟୂରଭଞ୍ଜ–୩୨ ପ୍ରତିଶତ, କେନ୍ଦୁଝର–୩୩ ପ୍ରତିଶତ, ସୁନ୍ଦରଗଡ଼ –୨୫ ପ୍ରତିଶତ କମ ବର୍ଷା ହୋଇଛି । ଅନ୍ୟ ୧୭ଟି ଜିଲ୍ଲାରେ ବର୍ଷା ପରିମାଣ ସ୍ୱାଭାବିକ ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ କହିଛନ୍ତି ।
ରାଜ୍ୟରେ ଏବେ ମୌସୁମୀ ବାୟୁ ଦୁର୍ବଳ ରହିଥିବାରୁ ବର୍ଷାର ପରିମାଣ କମ ରହିଛି । ଆଗାମୀ ସପ୍ତାହରେ ପୁଣି ମୌସୁମୀ ବାୟୁ ସକ୍ରିୟ ହେବାର ସମ୍ଭାବନା ରହିଛି । ଫଳରେ ଆଗାମୀ ଦିନରେ ବର୍ଷାର ପରିମାଣ ବଢିବ ବୋଲି ପୂର୍ବାନୁମାନ କରାଯାଇଛି ।ବର୍ଷା ଅଭାବରୁ ୧୩ ଜିଲ୍ଲାରେ ଚାଷ କାମ ପ୍ରଭାବିତ ରହିବାର ସମ୍ଭାବନା ରହିଛି ।