୯, ୧୦ରେ ଓଡିଶାରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଓଡ଼ିଶାରେ ମୈାସୁମୀ ଓ ଲଘୁଚାପ ପ୍ରଭାବରେ ବର୍ଷା ଜାରି ରହିଛି । ମୈାସୁମୀ ସକ୍ରିୟ ହୋଇଥିବା କାରଣରୁ ରାଜ୍ୟରେ ଆସନ୍ତା ୯ ଓ ୧୦ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଜୁନ ମାସରେ ମୈାସୁମୀ ଛୁଇଁଥିଲେ ମଧ୍ୟ ରାଜ୍ୟରେ କାଁ ଭାଁ ବର୍ଷା ହୋଇଥିଲା । ଜୁଲାଇ ପହିଲାରୁ ମୈାସୁମୀ ସକ୍ରିୟ ହୋଇଥିଲା । ବର୍ତ୍ତମାନ ଟ୍ରପ ଲାଇନ ସହ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି କାରଣରୁ ବର୍ଷା ହେଉଥିବା ଜଣାପଡ଼ିଛି । ଆଗାମୀ ୪୮ଘଣ୍ଟା ଯାଏଁ ସମୁଦ୍ର ଅଶାନ୍ତ ରହିବ । କିନ୍ତୁ ଆସନ୍ତା ୭ଓ ୮ତାରିଖରେ ରାଜ୍ୟରେ ବର୍ଷାର ପରିମାଣ କମ ରହିବ କିନ୍ତୁ ୯ ତାରିଖ ପରଠାରୁ ସମସ୍ତ ଜିଲ୍ଲାରେ ବର୍ଷାର ପରିମାଣ ବୃଦ୍ଧି ପାଇ ସାରା ଓଡ଼ିଶା ବର୍ଷାରେ ଭିଜିବ । 

ରାଜ୍ୟରେ ବର୍ଷା ଜାରି ରହିଛି । ଲଗାଣ ବର୍ଷାରେ ଅନେକ ଜିଲ୍ଲା ବେହାଲ ହେଲାଣି । ଗଞ୍ଜାମ, ପୁରୀ, ବରଗଡ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ନବରଙ୍ଗପୁର, କୋରାପୁଟ, ଗଜପତି, କନ୍ଧମାଳ, ଯାଜପୁର, କଟକ, ଢେଙ୍କାନାଳ, ସମ୍ବଲପୁର ଓ ଦେବଗଡ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ କଟକରେ ସର୍ବାଧିକ ୧୩୪.୪ମିମି ବର୍ଷା ହୋଇଥିବା ରେକର୍ଡ ହୋଇଛି । ସେହିଭଳି କୋରାପୁଟ ୧୦୮.୨ମିମି, ମାଲକାନାଗିରି ୪୫.୪ମିମି, ଭବାନୀପାଟଣା ୪୪.୪ମିମି, ପୁରୀ ୩୫.୧ମିମି, ଦେବଗଡ ୫୪ମିମି, ଟିଟିଲାଗଡ ୪୪.୬ମିମି, ପାରାଦୀପ ୫୧.୫ମିମି, ଭୁବନେଶ୍ୱରରେ ୨୪ମିମି ବର୍ଷା ହୋଇଛି ।