ମୋମୋ ଖେଳି ହାତ କାଟିଲେ ଯୁବକ : ଗୁରୁତର ହୋଇ ମେଡିକାଲରେ ଭର୍ତି

କଟକ : ବ୍ଲୁ ହ୍ୱେଲ ଗେମ୍ ପରେ ଏବେ ମୋମୋ ଆତଙ୍କ । ସାରା ବିଶ୍ୱରେ ଘାତକ ସାଜିଥିବା ଇଣ୍ଟରନେଟ ଗେମ୍ ମୋମୋ ଚାଲେଞ୍ଜକୁ ନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଥିଲେ ମଧ୍ୟ ସୁଫଳ ମିଳୁନି । ଏବେ ମୋମୋ ଖେଳ ଯୁବ ପିଢ଼ିଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାରେ ଲାଗିଛି । ଏହି ଖେଳ ପ୍ରତି ଆକର୍ଷିତ ଯୁବପିଢ଼ି ଆତ୍ମହତ୍ୟା ଭଳି ଅପରାଧ ଘଟାଉଛନ୍ତି । ମୋମୋ ଖେଳରେ ଏପରି ହଜିଯାଇ ନିଜ ହାତ,ବେକ ଓ ଜଘଂକୁ ଦାଆରେ କାଟିଦେଇ ଗୁରୁତର ହୋଇ ଜଣେ ଯୁବକ ଏସ୍ସିବିରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଜଣାପଡ଼ିଛି ।

ଏଭଳି ଘଟଣା ଘଟିଛି ସଦର ଥାନା ୪୨ ମୌଜା ଅନ୍ତର୍ଗତ ଝାରକଟା ଗ୍ରାମରେ । ଗତ ୧୫ ତାରିଖ ବିଳମ୍ବିତ ରାତିରେ ବାସୁଦେବ ଦାସଙ୍କ ୨୧ ବର୍ଷୀୟ ପୁତ୍ର ବଣଅଟି ଓରଫ ସୁନୀଲ ଦାସ ମୋମୋ ଖେଳରେ ମଜ୍ଜି ଯାଇଥିଲେ । ଗେମ୍ର ନିର୍ଦ୍ଦେଶରେ ସେ ନିଜର ଡାହାଣ ହାତ,ବେକ ଓ ଜଘଂକୁ ଦା’ରେ କାଟି ଦେଇଥିଲେ । ରକ୍ତାକ୍ତ ଅବସ୍ଥାରେ ବଣ୍ଟି ଘରେ ପଡ଼ିଥିବା ବେଳେ ପରିବାର ଲୋକେ ତାକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ମେମୋ ଖେଳରୁ ଏପରି ଘଟଣା ଘଟିଛି ବୋଲି ସୁନୀଲର ପରିବାର ଲୋକ ଅଭିଯୋଗ କରିଛନ୍ତି । ବଣ୍ଟି ବାମ ହାତର ଶିରା କଟିଯାଇଥିବାରୁ ସର୍ଜରୀ ବିଭାଗରେ ତାର ଅସ୍ତ୍ରୋପଚାର କରାଯାଇଥିଲା । ଏବେ ବଣ୍ଟି ସୁନୀଲ ରୁଚି କମ୍ପାନୀରେ କାର୍ଯ୍ୟ କରୁଥିଲା । ଗତ ୩ରୁ ୪ ଦିନ ହେବ ସେ ଅନ୍ୟମନସ୍କ ରହୁଥିଲା । ସେ ମୋବାଇଲ ଗେମରେ ବହୁତ ସମୟ ବ୍ୟସ୍ତ ରହୁଥିଲା ବୋଲି ବାପା ବାସୁଦେବ କହିଛନ୍ତି ।