ପୁଣି ୩୦ରୁ ମୋଦିଙ୍କ “ମନ୍ କୀ ବାତ୍”

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବହୁ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କୀ ବାତ୍‌’ ପୁଣିଥରେ ଆରମ୍ଭ ହେବ। ଚଳିତ ମାସ ଶେଷ ରବିବାର ଅର୍ଥାତ ୩୦ ତାରିଖରୁ ଆରମ୍ଭ ହୋଇ ଏହି କାର୍ଯ୍ୟକ୍ରମ ଯଥାରୀତି ଚାଲୁ ରହିବ। ମୋଦି ପ୍ରଧାନମନ୍ତ୍ରୀ ଭାବରେ ଦ୍ୱିତୀୟ ଥର ଶପଥ ନେବାର ଏକ ମାସ ପରେ ଏହା ଆରମ୍ଭ ହେଉଛି।

ମାଇଁ ଗଭ୍‌ ଇଣ୍ଡିଆ ପକ୍ଷରୁ ଏନେଇ ଟ୍ୱିଟ୍‌ କରି କୁହାଯାଇଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ଦାୟିତ୍ୱ ନେବା ସହ ପୁଣି ଥରେ ଫେରୁଛି ‘ମନ୍‌ କୀ ବାତ୍‌’। ଆପଣଙ୍କ କାହାଣୀ, ଭାବନା ଏବଂ ପରାମର୍ଶ ଏଥର ଏପିସୋଡ୍‌ରେ ମଧ୍ୟ ସାମିଲ ହେବ, ଯାହା ଜୁନ୍‌ ୩୦ରୁ ଆରମ୍ଭ ହେବାକୁ ଯାଉଛି।

ଅଲ୍‌ ଇଣ୍ଡିଆ ରେଡିଓରେ ଜୁନ୍‌ ୩୦ରେ ପ୍ରସାରିତ ହେବା ଥିବା ଏହି ଏପିସୋଡ୍‌ ଦ୍ୱିତୀୟ ସିଜିନ୍‌ ‘ମନ୍‌ କୀ ବାତ୍‌’ର ପ୍ରଥମ ଏପିସୋଡ୍‌ ହେବ। ଗତ ସିଜିନ୍‌ରେ ଶେଷ ଏପିସୋଡ୍‌ ଫେବୃଆରୀ ୨୪ରେ ପ୍ରସାରିତ ହୋଇଥିଲା। ଏହାପରେ ସାଧାରଣ ନିର୍ବାଚନ ପାଇଁ ଏହା ବନ୍ଦ ରହିଥିଲା। ଏହି କାର୍ଯ୍ୟକ୍ରମକୁ ନେଇ ମୋଦି ମତ ଦେଇଥିଲେ, ଏହା ତାଙ୍କୁ ଗରିମାମୟ ଅନୁଭୂତି ଦେଇଛି। ପୂର୍ବ ସମସ୍ତ ଏପିସୋଡ୍‌ ପରି ମୋଦି ଏଥର ଏପିସୋଡ୍‌ ପାଇଁ ଥିମ୍‌ ଏବଂ ପ୍ରସଙ୍ଗ ବାବଦରେ ଲୋକମାନଙ୍କ ଠାରୁ ପରାମର୍ଶ ଆଶା କରୁଛନ୍ତି। ଏଥିପାଇଁ ଆସନ୍ତା ଜୁନ୍‌ ୧୧ରୁ ଜୁନ୍‌ ୨୬ ତାରିଖ ଯାଏ ଫୋନ୍‌ଲାଇନ୍‌ ଖୋଲା ରହିବ ବୋଲି ଜଣାପଡ଼ିଛି।