ମୋଦି ଗଲା ପରେ ବି ଥମୁନି ବୟାନବାଜି : ବିରୋଧୀଙ୍କ ଆରୋପର ଜବାବ ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର : ମୋଦି ଆସିଲେ,ଗଲେ । କିନ୍ତୁ ମୋଦି ଗଲାପରେ ଗତଥର ଭଳି ଏଥର ଚର୍ଚା ଭିନ୍ନ । ମୋଦି ସିଧା ସଳଖ ନବୀନଙ୍କୁ ସମାଲୋଚନା କାହିଁକି କଲେନି ତାକୁ ନେଇ ରାଜ୍ୟ ରାଜନୀତିରେ ଅନେକ ବିତର୍କ । କଣ ମୋଦି- ନବୀନଙ୍କ ଭିତରେ କିଛି ଭିତରେ ଭିତରେ କୋଳାକୋଳି ଚାଲିଛି କି -ଏଭଳି ପ୍ରଶ୍ନକୁ ନେଇ ରାଜନୈତିକ ମହଲରେ କେତେକଣ ଚର୍ଚ୍ଚା ଲାହି ରହିଛି।
୩ ମାସ ତଳେ ଓଡିଶା ଗସ୍ତ ବେଳେ ନବୀନଙ୍କ ପ୍ରତି ମୋଦିଙ୍କର ଯେଭଳି ସିଧା ଟାର୍ଗେଟ ଥିଲା ଏଥର ତାହା ଦେଖିବାକୁ ମିଳି ନଥିଲା। ନବୀନ ସରକାରଙ୍କ ପ୍ରତି ମୋଦିଙ୍କ ଏହି ନରମ ଆକ୍ଷେପକୁ ନେଇ ରାଜ୍ୟ ରାଜନୀତିରେ ଚାଲିଛି ପୋଷ୍ଟମର୍ଟମ ।

କୋଷ୍ଟାଲ ହାଇୱେ କାମ ଆରମ୍ଭ ହୋଇ ନ ପାରିବା ଓ ଶିଳ୍ପ କରିଡରରେ ଓଡିଶା ସ୍ଥାନ ନପାଇବା ଆଦି ପ୍ରସଙ୍ଗ ଆଗକୁ ବଢୁନଥିବାରୁ ମୋଦି ବ୍ୟାକଫୁଟରେ ରହିଛନ୍ତି ବୋଲି ବେଜେଡିର ମତ । ଏହା ସହ ବିଜେଡି କହିଛି ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ଯେଉଁ ତଥ୍ୟ ରଖିଛନ୍ତି ତାହା ଠିକ ନୁହେଁ । ସେମିତି ବିଜେଡି ସାଂସଦ ପ୍ରତାପ ଦେବଙ୍କ କହିବା କଥା ପ୍ରଧାନମନ୍ତ୍ରୀଙ୍କ ତଥ୍ୟ ରେ ସତ୍ୟତା ନାହିଁ ।
ତେବେ ମୋଦି ସତରେ କଣ ଜାଣି ଶୁଣି ବିଜେଡି ସରକାର ଓ ନବୀନଙ୍କୁ ଟାର୍ଗେଟ କଲେ ନାହିଁ କି । ନା ଆଗକୁ ୨୦୧୯ ନିର୍ବାଚନ ପରେ ବିଜେଡି ସହ ପୁଣି ଏକାଠି ମିଶି କେନ୍ଦ୍ରରେ ସରକାର କରିବେ । ଏମିତି ଆଲୋଚନାର ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ଓଡ଼ିଶାରେ ଖଣି, ଚିଟଫଣ୍ଡ୍ ଓ ପିସିର ଦାନବକୁ କିଏ ଦାନା ଦେଉଛି, ଏହା କାହାକୁ ଅଜଣା ନାହିଁ। ଯେଉଁମାନେ ଶାସନରେ ଅଛନ୍ତି ସେମାନେ ହିଁ ଏହାର ମୁଖ୍ୟ ନାୟକ। ଏମାନ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଦାନବ ଏଠି କିଏ, ଓଡ଼ିଶାରେ କାହାକୁ ଅଜଣା ନାହିଁ। ଚିଟଫଣ୍ଡରେ କେଉଁ ଦଳ ଲୋକ ଜେଲ୍ ଯାଇଛନ୍ତି, କାହାର ବିଧାୟକ, ସାଂସଦ ଜେଲ୍ ଯାଇଛନ୍ତି, କାହାର ମନ୍ତ୍ରୀ ମାନଙ୍କୁ ଚିଟଫଣ୍ଡ ଅଭିଯୋଗରେ ଜେରା ଆରମ୍ଭ ହୋଇଛି, ଓଡିଶାର କେଉଁ ବଡ଼ ଲୋକ ଘରେ ଚିଟଫଣ୍ଡର ଅନୁସନ୍ଧାନ ପହଞ୍ଚିଛି, ତାହା ଓଡ଼ିଶାର ଗଣମାଧ୍ୟମ ଓ ଜନସାଧାରଣଙ୍କୁ ଜଣା ଅଛି।
ଶ୍ରୀ ପ୍ରଧାନ କହିଛନ୍ତି ଯେ, କିଏ ଓଡ଼ିଶାର ଖଣିଜ ସମ୍ପଦ ଲୁଟିବା ପାଇଁ ସୁଯୋଗ ଦେଲା, ତାହା କାହାକୁ ଅଛପା ନାହିଁ। କେଉଁମାନେ ଖଣିର ମାଫିଆ ଅଛନ୍ତି, କେଉଁମାନେ ଖଣିର ଠିକାଦାର ଅଛନ୍ତି ଏକଥା କାହାକୁ ଅଜଣା ନାହିଁ। ରାଜନୀତିକ ଶକ୍ତିଭାବେ ଆମ ପକ୍ଷରୁ ଯେଉଁ କଥା ଉଲ୍ଳେଖ କରାଗଲା, ତାହା ଓଡ଼ିଶାର ଲୋକେ ଜାଣିଛନ୍ତି। ରାଜ୍ୟରେ ନୂଆ ଜାଗରଣ ଆରମ୍ଭ ହୋଇଛି, ଏ ଚିଟଫଣ୍ଡ ପିସି କେଉଁମାନେ ନେଉଛନ୍ତି, ପିସିରେ କେଉଁମାନେ ପେସି ହେଉଛନ୍ତି ଏହା ମଧ୍ୟ କାହାକୁ ଅଜଣା ନାହିଁ।

ପ୍ରଧାନମନ୍ତ୍ରୀ ‘ଗାଳି ଦେବା’ ପ୍ରସଙ୍ଗରେ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଦାନବ କହିବା ଗାଳି ନୁହେଁ। ଓଡ଼ିଶାରେ ଆୟୁଷ୍ମାନ ଯୋଜନା କାର‌୍ୟ୍ୟକାରୀ ନହେବା, ଓଡିଶାରେ ଗରିବ ମହିଳାଙ୍କ ପାଇଖାନା ନିର୍ମାଣରେ ପଛୁଆ, ଶିକ୍ଷକ ସମସ୍ୟା ପରି ପ୍ରସଙ୍ଗ ଉପରେ ପ୍ରଜାତନ୍ତ୍ରରେ ଯେତିକି ମର‌୍ୟ୍ୟାଦାର ସହ କହିବା କଥା, ସବୁ କହିଛନ୍ତି। ମୁହଁରେ ବ୍ରଣ ହେଲେ ଛାଇ ହେଉଛି କହିବା ପରି, ଯେଉଁମାନଙ୍କ ମନରେ ଡର ଅଛି, ସେମାନେ ବିତଣ୍ଡା ଯୁକ୍ତି କରୁଛନ୍ତି।

ମୁଖ୍ୟମନ୍ତ୍ରୀ ତାଙ୍କ ନିର୍ବାଚନ ଇସ୍ତାହାରରେ କେତେ ଜମିକୁ ଜଳସେଚନ କରିବାର ପ୍ରତିଶ୍ରୁତି ଦେଇଥିଲେ ଓ କେତେ କରିଛନ୍ତି ତାହାର ତଥ୍ୟ ଅନ୍ୟ କେହି ନୁହେଁ ନିଜେ ମୁଖ୍ୟମନ୍ତ୍ରୀ ଦେବା ଦରକାର।
ଜାନୁଆରୀ ୫ ଓ ୧୬ ରେ ମୋଦି ପୁଣି ଓଡିଶାକୁ ୨ଥର ଗସ୍ତ କରିବେ। ସେତେବେଳକୁ ଯାହା ସବୁ ଚର୍ଚ୍ଚା ହେଉଛି ସେଥିରେ କିଛି ସ୍ପଷ୍ଟ ରେଖା ଆସିଯାଇଥିବ।