ଜାନୁଆରି ୧୦ରେ ମୋଦିଙ୍କ ଆସାମ ଗସ୍ତକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ଚେତାବନୀ ଦେଲା ଆସାମ ଛାତ୍ରସଂଘ

ଗୌହାଟୀ: ଜାନୁଆରି ୧୦ରେ ଆସାମରେ ହେବାକୁ ଥିବା ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବାର ଅଛି । ତେବେ ଏହା ପୂର୍ବରୁ ଆସାମ ଛାତ୍ରସଂଘ(ଏଏଏସୟୁ) ମୋଦିଙ୍କ ଗସ୍ତ ଦିନ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଆଜି ଚେନାବନୀ ଦେଇଛନ୍ତି । ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଏହି ବିକ୍ଷୋଭ କରିବାକୁ ଚେତାବନୀ ଦେଇଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ସଂଘ ପକ୍ଷରୁ କୁହାଯାଇଛି ଯେ ଆସନ୍ତା ୫ ତାରିଖରେ ହେବାକୁ ଥିବା ଭାରତ-ଶ୍ରୀଲଙ୍କା ଟି୨୦ ମ୍ୟାଚ ଓ ୧୦ ତାରିଖରେ ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ଉପରେ ନଜର ରଖାଯାଇଛି ।

‘ଖେଲୋ ଇଣ୍ଡିଆ’କୁ ଉଦଘାଟନ କରିବାକୁ ଜାନୁଆରି ୧୦ରେ ମୋଦି ଆସାମ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ଦେଶରେ ନାଗରିକତା ସଂଶୋଧନ ଆଇନ ଲାଗୁ ହେବା ପରେ ପ୍ରଥମ ଥର ପାଇଁ ମୋଦି ଆସାମ ଯିବେ ।

ସୂଚନାଯୋଗ୍ୟ ଯେ ନାଗରିକତା ସଂଶୋଧନ ଆଇନକୁ ନେଇ ଆସାମରେ ଏବେବି ଉତେଜନା ଜାରି ରହିଛି । ଏହି ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ଧର୍ମୀୟ ହିଂସାର ସମ୍ମୁଖୀନ ହେଉଥିବା ହିନ୍ଦୁ, ବୌଦ୍ଧ, ଶିଖ, ଖ୍ରୀଷ୍ଟିଆନ ଓ ପାର୍ସୀ ଆଦି ସଂପ୍ରଦାୟର ଶରଣାର୍ଥୀମାନଙ୍କୁ ଭାରତରେ ନାଗରିକତା ଦିଆଯିବ । ତେବେ ମୁସଲମାନ ମାନଙ୍କୁ ଏହି ବିଲ୍‌ ମାଧ୍ୟମରେ ନାଗରିକତା ଦିଆଯିବ ନାହିଁ ।