୨ୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ମୋଦି

ନୂଆଦିଲ୍ଲୀ: ଦେଶରେ ଆରମ୍ଭ ହୋଇଛି ମୋଦୀ ରାଜ। ଭାରତର ପଞ୍ଚଦଶ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନରେନ୍ଦ୍ର ଦାମୋଦର ଦାସ ମୋଦୀ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଦ ଓ ଗୋପନୀୟତାର ଶପଥ କରାଇଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଦେଶ-ବିଦେଶର ପ୍ରାୟ ୮୦୦୦ ଅତିଥିଙ୍କ ଉପସ୍ଥିତିରେ ମୋଦୀ ପ୍ରଧାନମନ୍ତ୍ରିତ୍ୱ ସମ୍ଭାଳିଛନ୍ତି।

ସ୍ୱାଧୀନତା ପରବର୍ତ୍ତୀ ସମୟରେ ଜନ୍ମିତ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଦ୍ୱିତୀୟ ଥର ଲାଗି ଦେଶର ଶାସନ ଡ଼ୋରି ସମ୍ଭାଳିଛନ୍ତି ନରେନ୍ଦ୍ର ମୋଦୀ। ଭାରତୀୟ ଜନତା ପାର୍ଟିର ଜଣେ ସଫଳ ନେତା ଭାବେ ମୋଦୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ହେବା ପରେ ସାରା ଦେଶର ଦୃଷ୍ଟି ଆକର୍ଷଣ କରନ୍ତି। ୨୦୦୧ ମସିହାରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିବା ପରେ କ୍ରମାଗତ ୩ ପାଳି ଶାସନ କରନ୍ତି। ଏହାପରେ ୨୦୧୪ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ମୋଦୀଙ୍କୁ ଭାରତୀୟ ଜନତା ପାର୍ଟି ନିଜର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ମନୋନୀତ କରେ। ୨୦୦୪ ମସିହାରୁ କ୍ଷମତାରୁ ଦୂରେଇ ରହିଥିବା ଭାରତୀୟ ଜନତା ପାର୍ଟିକୁ ପୁଣି ଥରେ ନିଜ ନେତୃତ୍ୱ ବଳରେ କ୍ଷମତାସୀନ କରାଇବାରେ ସଫଳ ହୁଅନ୍ତି ନରେନ୍ଦ୍ର ମୋଦୀ। ଏହାପରେ ୨୦୧୪ ମେ ୨୬ ତାରିଖରେ ସେ ଦେଶର ଚତୁର୍ଦ୍ଦଶ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରନ୍ତି।

୨୦୧୯ ସାଧାରଣ ନିର୍ବାଚନରେ ପୁଣି ଅଗ୍ନିପରୀକ୍ଷା ଦିଅନ୍ତି ମୋଦୀ। ନିଜର ପ୍ରଥମ ଶାସନ କାଳରେ ବିମୁଦ୍ରୀକରଣ ଓ ଜିଏସ୍‌ଟି ପ୍ରଚଳନ ଭଳି ବଡ଼ ବଡ଼ ନିଷ୍ପତ୍ତି ନେଇ ଥିବା ମୋଦୀଙ୍କୁ ବିରୋଧୀଙ୍କ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼େ। ଏଥିସହ ସୁପ୍ରିମକୋର୍ଟ ଏବଂ ସିବିଆଇ ଭଳି ସାମ୍ବିଧାନିକ ସଂସ୍ଥାରେ ବିବାଦ ମୋଦୀଙ୍କ ଶାସନ ଦକ୍ଷତା ଉପେର ପ୍ରଶ୍ନ ଚିହ୍ନ ଲଗାଏ। ଫ୍ରାନ୍‌ସ୍‌ରୁ ରାଫେଲ ବିମାନ କିଣାରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ସନ୍ଦେହଜନକ ଭୂମିକା ନେଇ କଂଗ୍ରେସ ମୋଦୀଙ୍କ ସ୍ୱଚ୍ଛ ଶାସନ ଉପରେ ପ୍ରଶ୍ନ ଚିହ୍ନ ଉଠାଏ। ପ୍ରଧାନମନ୍ତ୍ରୀଙ୍କ ଇଙ୍ଗିତରେ ହଜାର ହଜାର କୋଟିର ଦୁର୍ନୀତି ହୋଇଛି ବୋଲି ଅଭିଯୋଗ ବଢ଼େ। ମାତ୍ର ନିର୍ବାଚନରେ ଏସବୁ ଅଭିଯୋଗ ଜୋର ଧରେ ନାହିଁ। ପୁଣି ବହୁମତରେ ମୋଦୀଙ୍କ ନେତୃତ୍ୱରେ କ୍ଷମତାକୁ ଫେରେ ଭାରତୀୟ ଜନତା ପାର୍ଟି।