ମୋଦିଙ୍କ ୨.୦ରେ ସହିଦ୍ ପିଲାଙ୍କ ପାଇଁ ପ୍ରଥମ ନିଷ୍ପତ୍ତି

ନୂଆଦିଲ୍ଲୀ : ଗତ କାଲି ଶପଥ ଗ୍ରହଣ କରିବା ପରେ ଆଜି କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳର ପ୍ରଥମ ବୈଠକ ଅନୁଷ୍ଠିତ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକରେ ଅଧ୍ୟକ୍ଷତା କରୁଛନ୍ତି । ଏହି ବୈଠକରେ ଜାତୀୟ ପ୍ରତିରକ୍ଷା ପାଣ୍ଠି ଅଧିନରେ ଦିଆଯାଉଥିବା ପ୍ରଧାନମନ୍ତ୍ରୀ ଛାତ୍ରବୃତ୍ତି ଯୋଜନାରେ ଆତଙ୍କବାଦୀ ଓ ମାଓବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବେଳେ ସହିଦ ହେଉଥିବା ରାଜ୍ୟ ପୁଲିସର କର୍ମଚାରୀଙ୍କ ପିଲାମାନଙ୍କୁ ସାମିଲ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହା ସହିତ ବାଳକମାନଙ୍କ ପାଇଁ ଏହି ବୃତ୍ତି ପରିମାଣ ମାସିକ ୨୦୦୦ରୁ ୨୫୦୦ ଟଙ୍କା ଓ ବାଳିକାମାନଙ୍କ ପାଇଁ ମାସିକ ୨୨୫୦ରୁ ୩୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି ।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ନିଜ ଅଫିସରେ ଦାୟିତ୍ୱ ଗ୍ରହଣ କରିଥିଲେ । ଏହି ବୈଠକରେ ଯୋଗ ଦେବା ପାଇଁ ସବୁ ମନ୍ତ୍ରୀ ପହଞ୍ଚିଛନ୍ତି । ବୈଠକରେ କେତେକ ବଡ଼ ନିଷ୍ପତ୍ତି ଘୋଷଣା କରାଯିବାର ସମ୍ଭାବନା ରହିଛି । ୨୦୧୪ରେ ନିଜର ପ୍ରଥମ ମନ୍ତ୍ରୀମଣ୍ଡଳ ବୈଠକରେ ମୋଦି ସରକାର କଳାଧନ ବିରୋଧରେ ଏସଆଇଟି ଗଠନ ଲାଗି ନିଷ୍ପତ୍ତି ନେଇଥିଲେ । ଆଜିର ବୈଠକରେ ୧୭ଶ ଲୋକସଭାର ପ୍ରଥମ ବୈଠକର ତାରିଖ ସଂପର୍କରେ ନିଷ୍ପତ୍ତି ହୋଇପାରେ । ଏହା ସହିତ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି ଗଠନ ହେବ । କେତେକ ସୁତ୍ରରୁ ଜଣାପଡିଛି ଯେ ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ମନ୍ତ୍ରାଳୟର ମନ୍ତ୍ରୀମାନଙ୍କୁ ଆଗାମୀ ୧୦୦ ଦିନର ଯୋଜନା ଓ ରୂପରେଖ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇପାରନ୍ତି । ସେହିପରି ଆଉ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ।