ଆକାଶ ମାର୍ଗରୁ ଥାଇ ବାତ୍ୟା ‘ଅମ୍ଫାନ’ କ୍ଷୟକ୍ଷତି ଅଂଚଳ ଅନୁଧ୍ୟାନ କରି ଫେରିଲେ ପ୍ରଧାନମନ୍ତ୍ରୀ ମୋଦୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ନରେ ବାତ୍ୟା ‘ଅମ୍ଫାନ’ ଦ୍ୱାରା କ୍ଷତିଗ୍ରସ୍ତ ହେଇଥିବା ଓଡ଼ିଶାର ବିଭିନ୍ନ ଅଂଚଳ ଆକାଶ ମାର୍ଗରୁ ଥାଇ ଅନୁଧ୍ୟାନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଅପରାହ୍ନରେ ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ବାହାରିଥିଲେ । ଏବଂ ଦୀର୍ଘ ଦେଢ଼ ଘଂଟା ପର୍ଯ୍ୟନ୍ତ ଓଡ଼ିଶାର ବାତ୍ୟା କ୍ଷତିଗ୍ରସ୍ତ ଅଂଚଳ ଆକାଶମାର୍ଗରେ ଥାଇ ପରିଦର୍ଶନ ସହ ସ୍ଥିତି ସଂପର୍କରେ ଅବଗତ ହୋଇଥିଲେ ।

ମିଳିଥିବା ସୂଚନା ଅନୁସାରେ ମୋଦୀ ଭଦ୍ରକ ଜିଲ୍ଲାର ସର୍ବାଧିକ କ୍ଷତିଗ୍ରସ୍ତ ବ୍ଲକ ଚାନ୍ଦବାଲି ଓ ବାସୁଦେବପୁର ବ୍ଲକ ସମେତ ତିହିଡ଼ି ଓ ଧାମରାରେ ହୋଇଥିବା ବାତ୍ୟା ଅଂଚଳକୁ ଅନୁଧ୍ୟାନ କରିଥିଲେ । ପରେ ସେ ବାଲେଶ୍ୱର ଜିଲ୍ଲାର ଉପକୂଳବର୍ତୀ ଅଂଚଳ ତଥା ସର୍ବାଧିକ କ୍ଷତିଗ୍ରସ୍ତ ବ୍ଲକ ଭୋଗରାଇ, ବାଲିଆପାଳ, ବସ୍ତା ଓ ଜଳେଶ୍ୱର ବ୍ଲକରେ ଆକାଶ ମାର୍ଗରୁ ବାତ୍ୟାସ୍ଥିତି ଅନୁଧ୍ୟାନ କରି ଭୁବନେଶ୍ୱର ଫେରିଛନ୍ତି । ଆକାଶ ମାର୍ଗରୁ ବାତ୍ୟା ସ୍ଥିତି ଆକଳନ ବେଳେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ସ୍ୱତନ୍ତ୍ର ହେଲିକପ୍ଟରରେ ଥିଲେ ।

ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ସନ୍ଧ୍ୟାରେ ଆଜି ସନ୍ଧ୍ୟାରେ ବାତ୍ୟା ସମୀକ୍ଷା କରିବେ । ଭୁବନେଶ୍ୱର ବିମାନବନ୍ଦରର ସମ୍ମିଳନୀ କକ୍ଷରେ ବାତ୍ୟା ସମୀକ୍ଷା ହେବ । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶ ମାର୍ଗରୁ ବାତ୍ୟା ସ୍ଥିତି ସମୀକ୍ଷା କରିଥିଲେ । କ୍ଷୟକ୍ଷତି ନେଇ ରାଜ୍ୟ ସରକାର ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରାଥମିକ ରିପୋର୍ଟ ପ୍ରଦାନ କରିପାରନ୍ତି ।