ଦିଲ୍ଲୀରେ ପୁଣି ମୋଦୀ ସରକାର ଏବଂ ଓଡ଼ିଶାରେ ବିଜେପି ସରକାର ଗଢ଼ିବ: ପ୍ରଧାନମନ୍ତ୍ରୀ

ସମ୍ବଲପୁର: ଆଜି ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାକୁ ନିର୍ବାଚନ ପ୍ରଚାରରେ ଆସି ସମ୍ବଲପୁରରେ ପହଞ୍ଚିଛନ୍ତି। ସେ ଝାରସୁଗୁଡ଼ା ବିମାନବନ୍ଦରରେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଅବତରଣ କରି ସେଠାରୁ ହେଲିକେପ୍ଟର ଯୋଗେ ସମ୍ବଲପୁରରେ ପହଞ୍ଚି ରେମେଡ୍ ଛକ ପଡ଼ିଆରେ ବିଜେପିର ବିଜୟ ସଂକଳ୍ପ ସଭାରେ ଯୋଗ ଦେଇଛନ୍ତି। ପ୍ରଥମେ ସଭାରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ  ଉପହାର ପ୍ରଦାନ କରାଯାଇଛି। ଜୟ ଜଗନ୍ନାଥ କହି ଏହି ସଭାରେ ଉଦବୋଧନ ଦେବା ଆରମ୍ଭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ ସମ୍ବଲପୁରୀ ଭାଷାରେ  ଜୁହାର ବୋଲି   କହିଛନ୍ତି  ।  ସେ ଓଡ଼ିଶାର ବରପୁତ୍ରମାନଙ୍କୁ ସ୍ମରଣ କରିଛନ୍ତି। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି,‘ ଏ ଚୌକିଦାରକୁ ଦେଶବାସୀଙ୍କ ଭଲପାଇବା ଦେଖି ବିରୋଧୀଙ୍କ ହୋସ୍ ଉଡ଼ୁଛି, ପ୍ରଥମ ପର୍ଯ୍ୟାୟ ଭୋଟ୍‌ ପରେ ବିଶ୍ୱାସ ଆସିଛି ଦିଲ୍ଲୀରେ ପୁଣି ମୋଦୀ ସରକାର ଏବଂ ଓଡ଼ିଶାରେ ବିଜେପି ସରକାର ଗଢ଼ିବ । ’କେନ୍ଦ୍ର ସରକାର ଦେଉଥିବା ଅର୍ଥର ଉପଯେୋଗ  ରାଜ୍ୟ ସରକାର   କରିପାରୁ ନଥିବା କଥା ଅଭିଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଏହି ସଭାରେ ସମ୍ବଲପୁର ବିଜେପି ଲୋକସଭା ପ୍ରାର୍ଥୀ ନୀତେଶ ଗଙ୍ଗଦେବ, ସମ୍ବଲପୁର ବିଜେପି ବିଧାନସଭା ପ୍ରାର୍ଥୀ ଜୟ ନାରାୟଣ ମିଶ୍ର , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏବଂ ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂହ ପ୍ରମୁଖ ଉପସ୍ଥିତ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବଲପୁରରେ ବିଜୟ ସଂକଳ୍ପ ସଭାକୁ ସଂବୋଧିତ କରୁଥିବା ବେଳେ ଅପରାହ୍ନରେ ଭୁବନେଶ୍ୱରରେ ରୋଡ ଶୋ’ କରିବେ  ଏବଂ ବିଶାଳ ଜନସଭାକୁ ସମ୍ବୋଧିତ କରିବେ ବୋଲି ଜଣାଯାଇଛି।