ହରିୟାଣାରେ ନିର୍ବାଚନୀ ବିଗୁଲ୍‌ ବଜାଇଲେ ମୋଦୀ

ନୂଆଦିଲ୍ଲୀ : ହରିୟାଣାରେ ବିଧାନସଭା ନିର୍ବାଚନ ନିକଟ ହୋଇଆସୁଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୋହତକରେ ଏକ ମେଗା ରୢାଲିରେ ଉଦ୍‌ବୋଧନ ଦେଇ ନିର୍ବାଚନୀ ବିଗୁଲ ବଜାଇଛନ୍ତି। ବିଗତ ଶହେ ଦିନ ମଧ୍ୟରେ କେନ୍ଦ୍ରରେ ଏନ୍‌ଡିଏ ସରକାର ନେଇଥିବା ଅନେକ ପଦକ୍ଷେପ ଐତିହାସିକ ଏବଂ ଦେଶରେ ଆଶା ଓ ବିଶ୍ବାସର ଏକ ସକରାତ୍ମକ ବାତାବରଣ ସୃଷ୍ଟି ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଚନ୍ଦ୍ରଯାନ -୨ ପ୍ରସଙ୍ଗ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏବେ ଦେଶ ଇସ୍ରୋ ସ୍ପିରିଟ୍‌ରେ ରହିଛି ଏବଂ ଲ୍ୟାଣ୍ଡର୍‌ ଅବତରଣ ସମୟର ୧୦୦ ସେକେଣ୍ଡ ସମଗ୍ର ଦେଶକୁ ଏକ କରିଦେଇଥିଲା। ଦେଶ ଏବେ ଆଉ ନକରାତ୍ମକ ଚିନ୍ତନକୁ ଗ୍ରହଣ କରୁନାହିଁ ବୋଲି ସେ କହିଛନ୍ତି। ଏବେ ଭାରତ ଯେ କୌଣସି ଆହ୍ବାନର ମୁକାବିଲା କରିବା ପାଇଁ ସକ୍ଷମ ଏବଂ ଏକ ସୁଦୃଢ଼ ଭବିଷ୍ୟତରେ ରାସ୍ତାରେ ଦେଶ ଆଗକୁ ବଢ଼ୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଧାରା ୩୭୦ ପ୍ରସଙ୍ଗ ଉଠାଇ ମୋଦୀ କହିଥିଲେ ଜମ୍ମୁ କଶ୍ମୀର ଏବଂ ଲଦାଖର ଜନତାଙ୍କ ପ୍ରସଙ୍ଗରେ ଦେଶବାସୀ ଯେଉଁ ଏକତା ଦେଖାଇଛନ୍ତି ତାହା ଅଭୂତପୂର୍ବ । ଦେଶରେ କୃଷକଙ୍କ ସମସ୍ୟାଠାରୁ ଆରମ୍ଭ କରି ଜଳ ସମସ୍ୟା ପର୍ଯ୍ୟନ୍ତ ଏବଂ ସୁରକ୍ଷାଠାରୁ ଅର୍ଥନୀତି ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ୧୩୦ କୋଟି ଦେଶବାସୀ ଏବେ ସଂକଳ୍ପର ସହ ଆଗକୁ ବଢ଼ୁଛନ୍ତି ଏବଂ ସାମାଧାନର ନୂଆ ନୂଆ ରାସ୍ତା ବାହାରୁଛି । ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ସରକାର ବିଭିନ୍ନ ଉଦ୍ୟୋଗକୁ ସହାୟତା କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି। ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ଐତିହାସିକ ନିଷ୍ପତ୍ତି ନିଆଯାଇଛି ଏବଂ ଏହାର ସୁଫଳ ନିକଟ ଭବିଷ୍ୟତରେ ମିଳିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶର ଗରିବଙ୍କ ଆର୍ଥିକ ଓ ସାମାଜିକ କଲ୍ୟାଣ ପାଇଁ ସରକାରଙ୍କ କାର୍ଯ୍ୟକ୍ରମଗୁଡ଼ିକର ସଫଳ ରୂପାୟନ ‌ଏବେ ଲୋକଙ୍କ ପାଇଁ ବଡ଼ ଆଶ୍ବସ୍ତିର କାରଣ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।