ମୋଦିଙ୍କ ୨ୟ ଇନିଙ୍ଗରେ ଶେଷ ହେଲା ଅରୁଣ ଜେଟଲୀ, ସୁଷମାଙ୍କ ଶାସନ

ନୂଆଦିଲ୍ଲୀ : କ୍ରମାଗତ ୨ୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନରେନ୍ଦ୍ର ମୋଦୀ । ଆଜି ସଂଧ୍ୟାରେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏହା ସହିତ ଭାରତରେ ମୋଦି ଯୁଗର ୨ୟ ପର୍ଯ୍ୟାୟ ଆରମ୍ଭ ହୋଇଛି । କିନ୍ତୁ ଏଥର ମୋଦୀ ସରକାରରେ ଦୁଇଜଣଙ୍କର ଅଭାବ ଅନୁଭବ ହେବ । ଏହି ଦୁଇଜଣ ନିଜର ଉତ୍ତମ କାର୍ଯ୍ୟବଳରେ ମୋଦି ସରକାରରେ ନାଁ କମେଇଥିଲେ ।

ଏହି ଦୁଇଜଣ ହେଉଛନ୍ତି ଅରୁଣ ଜେଟଲୀ ଓ ସୁଷମା ସ୍ୱରାଜ । ନିଜର ବୁଦ୍ଧି ଓ ଅଭିଜ୍ଞତା ବଳରେ ସେ ଅନେକ ସମୟରେ ମୋଦି ସରକାରକୁ ସଂକଟରୁ ଉଦ୍ଧାର କରିଥିଲେ । ଅନ୍ୟପକ୍ଷରେ ସୁଷମା ସ୍ୱରାଜ ବୋଧହୁଏ ଭାରତର ସବୁଠୁ ଲୋକପ୍ରିୟ ବିଦେଶ ମନ୍ତ୍ରୀ ଭାବରେ ନାଁ କମେଇଛନ୍ତି । ବିଦେଶରେ ସମସ୍ୟାରେ ପଡିଥିବା ଭାରତୀୟ ଲୋକଟିଏ ଯଦି ସହାୟତା ପ୍ରାର୍ଥନା କରି ଟ୍ଵିଟ ଟିଏ କରିଦେଲା ତାପାଖକୁ ତୁରନ୍ତ ସହାୟତା ପହଞ୍ଚିଯାଉଥିଲା । ଜାତିସଂଘରେ ନିଜର ଭାଷଣ ମାଧ୍ୟମରେ ଭାରତର ପକ୍ଷ ରଖିବା ସହ ପାକିସ୍ତାନକୁ କଡା ଜବାବ ଦେବା ପାଇଁ ମଧ୍ୟ ସେ ଲୋକପ୍ରିୟ ଥିଲେ ।