ଭୁବନେଶ୍ୱରରେ ମୋଦୀଙ୍କ ରୋଡ ଶୋ

ଭୁବନେଶ୍ଵର: ରାଜ୍ୟରେ ନିର୍ବାଚନୀ ପ୍ରଚାରକୁ ଜୋରଦାର କରିବା ପାଇଁ କ୍ରମାଗତ ଓଡ଼ିଶା ଗସ୍ତ କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସମ୍ବଲପୁରରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବା ପରେ ସନ୍ଧ୍ୟା ପ୍ରାୟ ୫ଟା ୧୫ରେ ଭୁବନେଶ୍ଵରରେ ପହଞ୍ଚିଛନ୍ତି। ସେ ସ୍ଵତନ୍ତ୍ର ବିମାନଯୋଗେ ବିଜୁ ପଟ୍ଟନାୟକ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ପହଞ୍ଚିଛନ୍ତି। ତାଙ୍କୁ ବିମାନ ବନ୍ଦରରେ  ଦଳର  ବରିଷ୍ଠ ନେତାମାନେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦେଇଛନ୍ତି। ଏହା ପରେ ପୂରା ସୁରକ୍ଷାବଳୟ ମଧ୍ୟରେ ମୋଦୀଙ୍କ ବିଶାଳ ରୋଡ୍ ଶୋ ବିମାନ ବନ୍ଦରରୁ ଆରମ୍ଭ ହୋଇ ଯାଇଛି।  ରୋଡ ଶୋରେ ତାଙ୍କର କାରକେଟ୍ ଧିରେ ଧିରେ ଆଗକୁ ମାଡି ଚାଲିଛି। ସୁରକ୍ଷା ବ୍ୟବସ୍ଥାରେ ୧୫୦ ପୋଲିସ ଅଫିସର, ୬୦ ପ୍ଲାଟୁନ ପୋଲିସ ବଳ ମୁତୟନ ହୋଇଥିଲେ। ରାସ୍ତାର ଉଭୟ ପାର୍ଶ୍ଵରେ ବ୍ୟାଟିକେଟିଂ ବ୍ୟବସ୍ଥା ହୋଇଛି।  ରାସ୍ତାର ଉଭୟ ପାର୍ଶ୍ଵରେ ହଜାର ହଜାର ସଂଖ୍ୟକ ଲୋକ ଛିଡ଼ା ହୋଇ ମୋଦୀଙ୍କ ଅଭିବାଦନ ଗ୍ରହଣ କରିଛନ୍ତି। ପିଏମ ମୋଦୀ ହାତ ହଲାଇ ଲୋକଙ୍କ ଅଭିବାଦନ ଗ୍ରହଣ କରୁଛନ୍ତି। ଯେଉଁ ଯେଉଁ ରୁଟରେ ମୋଦୀଙ୍କ କାରକେଟ୍ ଆଗେଇ ଚାଲିଛି ସେଠାକାର ମାହୋଲ ମୋଦୀମୟ ହୋଇ ପଡିଛି। ଏୟାରପୋର୍ଟରୁ ବରମୁଣ୍ଡା ମଧ୍ୟରେ ପାଞ୍ଚ କିମି ଦୂରତା ମଧ୍ୟରେ ରାସ୍ତାର ଉଭୟ ପାର୍ଶ୍ଵରେ ମୋଦୀଙ୍କୁ ଦେଖିବା ପାଇଁ ଲୋକଙ୍କ ନାହିଁ ନଥିବା ଭିଡ଼ ପରିଲଖିତ ହୋଇଛି। ଲୋକେ ମୋଦୀଙ୍କ କାରକେଡ୍ ଉପରକୁ ପୁଷ୍ପ ସିଞ୍ଚନ କରି ମୋଦୀଙ୍କୁ ଭବ୍ୟ ସ୍ଵାଗତ ଜଣାଉଛନ୍ତି। ମୋଦୀ ମୋଦୀ ନାରାରେ ପ୍ରକମ୍ପିତ ହୋଇ ଉଠିଛି ରାଜଧାନୀ ଭୁବନେଶ୍ଵର।

ମୋଦୀଙ୍କ ରୋଡ୍ ଶୋରେ ଲୋକଙ୍କ ମଧ୍ୟରେ ଅଦ୍ଭୁତପୂର୍ବ ଉତ୍ସାହ ଦେଖିବାକୁ ମିଳିଛି। ବିଜେପି କର୍ମୀଙ୍କଠୁ ନେଇ ହଜାର ହଜାର ଜନତାଙ୍କ ମଧ୍ୟରେ ମୋଦୀଙ୍କ ରୋଡ୍ ଶୋ କଡ଼ା ସୁରକ୍ଷା ବଳରେ ବରମୁଣ୍ଡା ଅଭିମୁଖେ ଅାଗେଇ ଚାଲିଛି। ହାତରେ ବିଜେପି ପତାକା ଓ ମୁହଁରେ ମୋଦୀଙ୍କ ମୁଖା ପିନ୍ଧି ରୋଡ୍ ଶୋରେ ସାମିଲ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏକ ବିଶାଳ ରୋଡ୍ ଶୋରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବାହାରି ଏୟାରପୋର୍ଟ ଛକ, ଗଙ୍ଗନଗର ଛକ, ଓୟୁଏଟି ଛକ ଏବଂ ଶିରିପୁର ଛକ ଦେଇ ସିଟି ମହିଳା ମହାବିଦ୍ୟାଳୟ ପାଖରେ ଥିବା ବାମ ପାର୍ଶ୍ୱ ବୁଲି ବରମୁଣ୍ଡା ଶିବ ମନ୍ଦିର ଦେଇ ବରମୁଣ୍ଡା ପଡ଼ିଆରେ ପହଂଚିବେ। 

ରୋଡ ଶୋ’ ପରେ ବରମୁଣ୍ଡା ପଡ଼ିଆରେ ମୋଦୀ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଭୁବନେଶ୍ୱର କାର୍ଯ୍ୟକ୍ରମରେ ଭୁବନେଶ୍ୱର, ପୁରୀ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁରର ଲୋକସଭା ମଣ୍ଡଳୀର ସମସ୍ତ ବିଧାନସଭା ମଣ୍ଡଳୀର କାର୍ୟ୍ୟ କର୍ତ୍ତାମାନେ ଯୋଗ ଦେଉଛନ୍ତି।