ସୋସିଆଲ ମିଡିଆ ବ୍ୟବହାର କରିବେନି ମୋଦୀ

ନୂଆଦିଲ୍ଲୀ: ସବୁବେଳେ ସୋସିଆଲ ମିଡିଆରେ ଅପଡେଟ୍ ରହୁଥିବା ପ୍ରଧାନମନ୍ତ୍ରୀ ମୋଦୀ ଆଉ ଏଥର ଏହି ପ୍ଲାଟଫର୍ମର ବ୍ୟବହାର କରିବେ ନାହିଁ । ଏନେଇ ସେ ଚିନ୍ତା କରୁଥିବା ଦେଶବାସୀଙ୍କୁ ଟ୍ୱିଟ ଜରିଆରେ ଜଣାଇଛନ୍ତି । ଫେସବୁକ୍‌, ଟ୍ବିଟର, ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବ୍‌କୁ ପରିତ୍ୟାଗ କରିବା ପାଇଁ ମୋଦୀ ବିଚାର କରୁଛନ୍ତି। ସୋସିଆଲ ମିଡିଆରେ ମୋଦୀଙ୍କର ବହୁ ପ୍ରଶଂସକ ଏବଂ ଅନୁଗାମୀ ରହିଛନ୍ତି। ଟ୍ବିଟରରେ ୫୩.୩ ନିୟୁତ, ଫେସବୁକ୍‌ରେ ୪୪ ନିୟୁତ ୭ ଲକ୍ଷ ୨୨ ହଜାର ୧୪୩ ଜଣ, ଇନଷ୍ଟାଗ୍ରାମରେ ୩୫.୨ ନିୟୁତ ଏବଂ ୟୁଟ୍ୟୁବ୍‌ରେ ୪.୫ ନିୟୁତ ଲୋକ ମୋଦୀଙ୍କର ଅନୁଗାମୀ ରହିଛନ୍ତି। ମୋଦୀ ସୋସିଆଲ ମିଡିଆ ଛାଡ଼ିବା ବିଷୟ ଟ୍ବିଟରରେ ସୂଚନା ଦେବା ପରେ ଅନେକ ବ୍ୟକ୍ତି ଏ ନେଇ ଟ୍ବିଟରରେ ମନ୍ତବ୍ୟ ଦେବା ଆରମ୍ଭ କରି ଦେଇଛନ୍ତି।

ସୋସିଆଲ ମିଡିଆରେ ଲୋକଙ୍କୁ ବାର୍ତା ଦେବାରେ ମୋଦୀ ବହୁ ଆଗରେ ରହିଛନ୍ତି। ସେ ହେଉଛନ୍ତି ପ୍ରଥମ ଭାରତୀୟ ଯାହାଙ୍କର ଅନୁଗାମୀ ସଂଖ୍ୟା ଟ୍ବିଟରରେ ୫୦ ନିୟୁତ ଅତିକ୍ରମ କରିଛି। ଏଭଳି ମାଇଲଖୁଣ୍ଟ ହାସଲ କରିବାରେ ମୋଦୀ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଏବଂ ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ପରେ ବିଶ୍ବର ତୃତୀୟ ବ୍ୟକ୍ତି। ୨୦୦୯ ଜାନୁଆରିରେ ମୋଦୀ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଟ୍ବିଟରରେ ଯୋଗଦେଇଥିଲେ। ସେହି ସମୟରେ କଂଗ୍ରେସ ନେତା ଶଶି ଥରୁରଙ୍କ ଭଳି ଖୁବ୍ କମ୍ ନେତା ଟ୍ବିଟରରେ ସକ୍ରିୟ ଥିଲେ।