ପିସିରେ ପେସି ହେଉଛନ୍ତି ଓଡିଶା ଲୋକେ-ମୋଦି

ଝାରସୁଗୁଡ଼ା : ଓଡ଼ିଶାରେ ଭ୍ରଷ୍ଟତନ୍ତ୍ର ଚାଲିଛି । ପିସି ଯୋଗୁଁ ରାଜ୍ୟରେ କୌଣସି ଉନ୍ନତି ହୋଇପାରୁ ନାହିଁ । ଏଠାରେ ପିସି ଏକ ପରିଚିତ ନାଁ ହୋଇଯାଇଛି । ଏବେ ଚାରାଠାରୁ ଆରମ୍ଭ କରି ରାସ୍ତାଘାଟ ଯାଏଁ ସୁବୁଠି ଘୋଟଲା ହେଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଝାରସୁଗୁଡ଼ା ବିମାନ ବନ୍ଦର ଉଦ୍ଘାଟନ ପରେ ଅମଲିପାଲିଠାରେ ଏକ ଜନସଭାରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ସମାଲୋଚନା କରିଥିଲେ । ସେ କହିଥିଲେ ଯେ ବିକାଶ ପାଇଁ ରାଜ୍ୟରେ ପରିବର୍ତ୍ତନ ଜରୁରୀ । ପରିବର୍ତ୍ତନ ହିଁ ଓଡ଼ିଶାକୁ ଆଗକୁ ନେଇ ପାରିବ । ଓଡ଼ିଶା ଏ ଯାଏଁ ଆୟୂଷ୍ମାନ ଭାରତ ଯୋଜନାରେ ସାମିଲ ହୋଇନାହିଁ । ନବୀନ ବାବୁ କାହିଁକି ବୁଝି ପାରୁ ନାହାନ୍ତି ମୁଁ ଜାଣିପାରୁନି । ଏ ସାଧାରଣ ସଭାରେ ପୁଣି ଥରେ କହୁଛି, ନବୀନ ବାବୁ ଏହି ଯୋଜନାରେ ସାମିଲ ପାଇଁ ପଦକ୍ଷେପ ନିଅନ୍ତୁ । ଗରୀବ ଲୋକଙ୍କୁ ଲାଭ ଦିଅନ୍ତୁ ।

ଓଡ଼ିଶାରେ ସ୍ୱାସ୍ଥ୍ୟ ସେବାର ଅବସ୍ଥା କଥା କାହାକୁ ଅଛପା ନାହିଁ । ଝାରସୁଗୁଡ଼ା-ସରଡ଼େଗା ରେଳ ଲିଙ୍କ୍ ଏବେ କୋଇଲା ଖଣିରୁ କୋଇଲା ଯୋଗାଣ ଲାଗି ଉତ୍ସର୍ଗୀକୃତ ହୋଇଛି । କିନ୍ତୁ ଭବିଷ୍ୟତରେ ଏହି ରେଳପଥରେ ଯାତ୍ରୀ ପରିବହନ ବ୍ୟବସ୍ଥା ମଧ୍ୟ ଆରମ୍ଭ ହେବ । ସେ କହିଥିଲେ ଯେ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ସରକାର ଗଠନ ପରେ ଭିତ୍ତିଭୂମି, ରେଳପଥ ଓ ସଡ଼କ ନିର୍ମାଣ କାର୍ଯ୍ୟରେ ଢେର ଅଗ୍ରଗତି ହୋଇଛି । ରାଜ୍ୟ ସରକାର ପ୍ରଗତି କ୍ଷେତ୍ରରେ ଶିଥିଳ ପଡ଼ିଯାଇଥିବା ନଜରକୁ ଆସୁଛି । ବିକାଶ ପ୍ରତି ରାଜ୍ୟ ସରକାର ଉଦାସୀନ ରହୁଥିବା ପରିଲକ୍ଷିତ ହେଉଛି । ଦୁଇ ଦଶନ୍ଧି ପୂର୍ବେ ରାଜ୍ୟ ଯେମିତି ଶିଥିଳ ଗତିରେ ଚାଲିଥିଲା ଏବେ ମଧ୍ୟ ସେହି ବ୍ୟବସ୍ଥା ନଜରକୁ ଆସୁଛି । ରାଜ୍ୟ ସରକାର ନିଷ୍ପତ୍ତି ନେବାରେ ବିଳମ୍ବ କରିବା ସହ ପ୍ରଶାସନର ବିଭିନ୍ନ କ୍ଷେତ୍ରରେ ଭ୍ରଷ୍ଟାଚାରର ଅଭିଯୋଗ ହେଉଛି । ଏନ୍ଡିଏ ସରକାର ରାଜ୍ୟକୁ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଯୋଜନା ଓ ଟିକସ ସହାୟତା ବାବଦରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ଦେଇଛନ୍ତି । ତଥାପି ସ୍ୱାସ୍ଥ୍ୟସେବା, କୁପୋଷଣର ପ୍ରତିକାର, ଲିଙ୍ଗଗତ ଭେଦଭାବ, ଶିଶୁ ଓ ମାତୃ ମୃତ୍ୟୁହାର ଭଳି ସମସ୍ୟାର ସମାଧାନ କ୍ଷେତ୍ରରେ ଓଡ଼ିଶା ବହୁ ପଛରେ ରହିଛି । କେନ୍ଦ୍ରରୁ ମିଳୁଥିବା ଆର୍ଥିକ ସହାୟତାକୁ ସଠିକ୍ ଭାବେ ବିନିଯୋଗ କରାଯାଉନାହିଁ । ରାଜ୍ୟ ସରକାରଙ୍କ ମନୋଭାବ ସକାରାତ୍ମକ ନାହିଁ ।

ଓଡ଼ିଶାରେ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା ମଧ୍ୟ ଠିକ୍ଭାବେ କାର୍ଯ୍ୟକାରୀ କରାଯାଉନାହିଁ । ଧାନ ମଣ୍ଡିରେ ଖରାପ ଧାନ କହି ଚାଷୀଙ୍କୁ ଭଗେଇ ଦିଆଯାଉଛି । ଶୌଚାଳୟ ନିର୍ମାଣରେ ମଧ୍ୟ ଓଡ଼ିଶା ପଛରେ ରହିଛି । କାଗଜକଲମରେ ବିକାଶ କାର୍ଯ୍ୟ ଚାଲିଛି । ଏପରିକି ବନୀକରଣ, ସଡ଼କ ନିର୍ମାଣ, ଜଳସେଚନ ଆଦି କ୍ଷେତ୍ରରେ ଭ୍ରଷ୍ଟାଚାର ଅଭିଯୋଗ ହେଉଛି । ସେ କହିଥିଲେ ଯେ ଓଡ଼ିଶାରେ ୨୪ଟି ପ୍ରଧାନମନ୍ତ୍ରୀ କୌଶଳକେନ୍ଦ୍ର କାର୍ଯ୍ୟ କରୁଛି । ୨୦୨୪ ସୁଦ୍ଧା ୩ ଲକ୍ଷ ଯୁବକ ଯୁବତୀଙ୍କୁ ଦକ୍ଷତା ବିକାଶ ପ୍ରଶିକ୍ଷଣ ଦିଆଯିବାର ଲକ୍ଷ୍ୟ ରଖାଯାଇଛି । ରାଜ୍ୟରେ ସ୍ୱରୋଜଗାର ଯୋଜନାରେ ୨୫ ହଜାର କୋଟି ଟଙ୍କା ବିନିଯୋଗ ହୋଇଛି ଏବଂ ମୁଦ୍ରା ଯୋଜନାରେ ଓଡ଼ିଶାରେ ୧ କୋଟି ଋଣ ପ୍ରଦାନ କରାଯାଇଛି । ଓଡ଼ିଶାକୁ ପୂର୍ବ ଭାରତର ଦ୍ରୁତ ବିକାଶରେ ସକ୍ରିୟ ଭାଗିଦାର ହେବାର ବେଳ ଆସିଛି । ଏହି ସଭାରେ କେନ୍ଦ୍ରମନ୍ତ୍ରୀ ସୁରେଶ ପ୍ରଭୂ, ଧମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ୍, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀ ଓ ବହୁ ଦଳୀୟ ନେତା ଉପସ୍ଥିତ ଥିଲେ ।