ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ କେସିଆର୍

ନୂଆଦିଲ୍ଲୀ : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ବୁଧବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ରବିବାର ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟ ନାୟକ, ସୋମବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ କରିବା ପଛରେ ବହୁତ କିଛି କଳ୍ପନା ଜଳ୍ପନା କରାଯାଉଛି । କେ ଚନ୍ଦ୍ରଶେଖର ରାଓ ବା କେସିଆର୍ ଡିସେମ୍ବର ୨୭ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ରହିବେ । ସେ ମାୟାବତୀ ଓ ଅଖିଳେଶଙ୍କୁ ଭେଟିବାର ଯୋଜନା କରିଛନ୍ତି । ବିଧାନସଭା ନିର୍ବାଚନ ପରେ କେସିଆର୍ ପ୍ରଥମ ଥର ପାଇଁ ନୂଆଦିଲ୍ଲୀ ଗସ୍ତ କରି ସୌଜନ୍ୟତା ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଛନ୍ତି । ଏହି ସାକ୍ଷାତ ମଧ୍ୟରେ ସେ ତେଲେଙ୍ଗାନାରେ ଅଧାଗଢ଼ ପ୍ରକଳ୍ପ ସାରିବାକୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି । କେସିଆର କେନ୍ଦ୍ର ଅଣ-ବିଜେପି ଓ ଅଣ-କଂଗ୍ରେସ ମେଣ୍ଟ ଗଠନ କରିବାକୁ ଉଦ୍ୟମ ଜାରି ରଖିଛନ୍ତି ।

ରାଜ୍ୟ ରାଜନୀତିରେ ବାଜି ମାରିବା ପରେ ସେ କେନ୍ଦ୍ର ରାଜନୀତିରେ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି । ସବୁ ରାଜ୍ୟର କ୍ଷମତାସୀନ ଆଞ୍ଚଳିକ ଦଳ ସହ ବୁଝାମଣା କରି କେନ୍ଦ୍ରରେ ଅଣ-ବିଜେପି ଓ ଅଣ-କଂଗ୍ରେସ ସରକାର ଗଠନ କରିବା କେସିଆର୍ଙ୍କ ମିଶନ୍ । କେନ୍ଦ୍ର ରାଜନୀତିରେ ସକ୍ରିୟ ଭୂମିକା ତୁଲାଇବା ପାଇଁ ସେ ତେଲେଙ୍ଗାନାରେ ଆଗୁଆ ନିର୍ବାଚନ ସାରିଦେଲେ । କେସିଆର୍ଙ୍କ ମେଣ୍ଟ ଗଠନ କରୁଛନ୍ତି । କଂଗ୍ରେସ ନେତା ରାଜୀବ ଗୌଡ଼ାଙ୍କ ସୂଚନା ଅନୁଯାୟୀ କେସିଆର୍ ଯେଉଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି, ସେମାନେ ସମସ୍ତେ କେସିଆର୍ଙ୍କୁ ଏକୁଟିଆ କରି କଂଗ୍ରେସ ସହ ହାତ ମିଳାଇ ମହାଗଠବନ୍ଧନ କରିବେ । କେସିଆରଙ୍କ ଫେଡେରାଲ୍ ଫ୍ରଣ୍ଡ ଉଦ୍ୟମକୁ ତାରିଫ କରିଛନ୍ତି ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନ୍ଡିଏ ମେଣ୍ଟକ୍ଷମତାଚ୍ୟୁତ କରିବା ପାଇଁ ସେ କେସିଆର୍ଙ୍କ ମେଣ୍ଟରେ ଯୋଗଦେବାକୁ ଆପାତତଃ ମନ ବଳାଇଛନ୍ତି । ଖାସ୍ ସେହି କାରଣ ପାଇଁ ଅଖିଳେଶ ହାଇଦ୍ରାବାଦ୍ ଗସ୍ତ କରି ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ଭେଟିବାକୁ ନିଷ୍ପତ୍ତି ନେଇଛନ୍ତି । ବୁଧବାର ଏ ସମ୍ପର୍କରେ ଅଖିଳେଶ ବିବୃତି ଦେଇ କହିଛନ୍ତି, ‘ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଫେଡେରାଲ୍ ଫ୍ରଣ୍ଡ ଯୋଗ ଦେବାକୁ ମୁଁ ହାଇଦ୍ରାବାଦ ଯାତ୍ରା କରିବି ।’