ଶ୍ରୀଲଙ୍କାରେ ପହଂଚିଲେ ମୋଦୀ: ଇଷ୍ଟର ବିସ୍ଫୋରଣରେ ମୃତକଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

କଲୋମ୍ବୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ସକାଳେ ଶ୍ରୀଲଙ୍କା ଗସ୍ତରେ ଯାଇଛନ୍ତି। ଗତ ଏପ୍ରିଲ ୨୧ ତାରିଖ ଇଷ୍ଟର ରବିବାର ଦିନ ଘଟିଥିବା ବୋମା ବିସ୍ଫୋରଣ ଘଟଣା ପରେ ମୋଦୀ ପ୍ରଥମ ବିଦେଶୀ ପ୍ରଧାନମନ୍ତ୍ରୀ ଭାବେ ଶ୍ରୀଲଙ୍କାରେ ପହଞ୍ଚିଛନ୍ତି। ଏହି ଅବସରରେ ସେ ବିସ୍ଫୋରଣରେ ପ୍ରାଣ ହରାଇଥିବା ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହା ପରେ ମୋଦୀ ଟ୍ବିଟ୍‌ କରି କହିଛନ୍ତି, ମୁଁ ନିଶ୍ଚିତ ଯେ ଶ୍ରୀଲଙ୍କା ପୁଣି ଥରେ ବିକାଶ ଦିଗରେ ଆଗେଇ ଚାଲିବ। ଆତଙ୍କବାଦର ଘୃଣ୍ୟ କାର୍ଯ୍ୟ ଶ୍ରୀଲଙ୍କାର ଦୃଢ଼ ଇଚ୍ଛାଶକ୍ତିକୁ ପରାଜିତ କରିପାରିବ ନାହିଁ। ଭାରତ ଶ୍ରୀଲଙ୍କାବାସୀଙ୍କ ସହିତ ସର୍ବଦା ଅଛି ବୋଲି ମୋଦୀ ଟ୍ବିଟରରେ ଉଲ୍ଲେଖ କରିଥିଲେ।

ମୋଦୀ ରବିବାର ସକାଳେ କଲୋମ୍ବୋସ୍ଥିତ ବନ୍ଦରନାଏକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଙ୍ଘେ ତାଙ୍କୁ ସ୍ବାଗତ କରିଥିଲେ। ମୋଦୀ ପହଞ୍ଚିବା ପରେ ମଧ୍ୟ ନିଜ ଟ୍ବିଟର ଆକାଉଣ୍ଟରେ ଲେଖିଥିଲେ ଯେ, ବିଗତ ୪ ବର୍ଷ ମଧ୍ୟରେ ଶ୍ରୀଲଙ୍କାଙ୍କୁ ଏହା ମୋର ୩ୟ ଗସ୍ତ। ପୁଣି ଥରେ ଶ୍ରୀଲଙ୍କା ଆସିଥିବାରୁ ଖୁସି ଅନୁଭବ କରୁଛି। ଦରକାର ସମୟରେ ଭାରତ ତା’ର ବନ୍ଧୁମାନଙ୍କୁ କେବେ ଭୁଲିବ ନାହିଁ। ଏଠାରେ ଔପଚାରିକ ସ୍ବାଗତ ମୋ ମନକୁ ଛୁଇଁଛି ବୋଲି ମୋଦୀ ଟ୍ବିଟ୍‌ କରିଥିଲେ।

ମୋଦୀଙ୍କ ଏହି ଗସ୍ତ ସମୟରେ ସେ ଶ୍ରୀଲଙ୍କା ରାଷ୍ଟ୍ରପତି ମୈଥ୍ରୀପାଲ ସିରିସେନା, ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଙ୍ଘେ ଏବଂ ବିରୋଧୀ ଦଳ ନେତା ମହିନ୍ଦା ରାଜପାକ୍ସେଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ।