ଲକଡାଉନ ନିଷ୍ପତି ପାଇଁ ଦେଶବାସୀଙ୍କୁ କ୍ଷମା ମାଗିଲେ ମୋଦି

'ମନ୍ କି ବାତ' କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ଦେଶରେ କୋରୋନା ସଙ୍କଟ ମଧ୍ୟରେ ରେଡିଓରେ ‘ମନ୍ କି ବାତ’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ । ‘ମନ୍ କି ବାତ’ କାର୍ଯ୍ୟକ୍ରମରେ ସମ୍ବୋଧନ ସମୟରେ ମୋଦି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କ୍ଷମା ମାଗିଛନ୍ତି । ଦେଶରେ ଲକଡାଉନ ଭଳି କଡା ପଦକ୍ଷେପ ନେଇଥିବାରୁ ଦେଶବାସୀ ତଥା ବିଶେଷ କରି ଗରିବଙ୍କ ନିକଟରେ ଏହି କ୍ଷମା ପ୍ରାର୍ଥନା କରିଛନ୍ତି ମୋଦି ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ କିଛି କଡା ନିଷ୍ପତି ଯୋଗୁଁ ସାଧାରଣ ଜୀବନରେ କଠିନତା ଆସିଛି । ଖାସ କରି ଦରିଦ୍ରଙ୍କ ଦୁଃଖ ବଢିଯାଇଛି । ମୋତେ ଜଣା ଅଛି ଯେ ଆପଣ ମୋ ଉପରେ ନାରାଜ ଅଛନ୍ତି । ହେଲେ କୋରୋନା ବିରୋଧରେ ଲଢିବା ପାଇଁ ଏହି ପଦକ୍ଷେପ ଅତ୍ୟନ୍ତ ଜରୁରୀ ଥିଲା । କୋରୋନା ଭାଇରସ ମନୁଷ୍ୟକୁ ମାରିବା ପାଇଁ ଜିଦ୍ ଧରିଛି । କୋଭିଡ ୧୯ ବିରୋଧରେ ଲଢେଇ କଠିନ । ଏହାସହ ମୁକାବିଲା କରିବା ପାଇଁ ଏହି ନିଷ୍ପତି ଜରୁରୀ ଥିଲା । କୋରୋନା କବଳରୁ ଜନସାଧାରଣକୁ ବଂଚାଇବା ପାଇଁ ଲକ ଡାଉନ କରାଯାଇଥିବା ସେ ପ୍ରତିକ୍ରିୟା ଦେଇଛନ୍ତି ।

ଲକ ଡାଉନ ପାଳନ ନ କରୁଥିବା ଲୋକେ ଜୀବନ ସହ ଖେଳୁଥିବା ମୋଦି କହିଛନ୍ତି । ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କ ସନ୍ଦେଶ ଦେଇଛନ୍ତି ଯେ ଯଦି ଆମେ ଲକ ଡାଉନ ପାଳନ ନ କରିବା ତେବେ ଏହି ମାରାତ୍ମକ ଭୂତାଣୁ ସହ ଲଢିବା କଷ୍ଟ ହୋଇଯିବ । ଏହାସହ କୋରୋନା ବିରୋଧରେ ଲଢେଇ ଜାରି ରଖିଥିବା ଯୋଦ୍ଧାଙ୍କୁ ପ୍ରଂଶସା କରିଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି ଯେ କୋରୋନା ବିରୋଧରେ ଯୁଦ୍ଧ ଲଢୁଥିବା ଆଗଧାଡିର ଯୋଦ୍ଧାଙ୍କ ଠାରୁ ପ୍ରେରଣା ନେବାର ଆବଶ୍ୟକତା ରହିଛି ।

ଅନ୍ୟପକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋରୋନା ସଂକ୍ରମଣ ପରେ ଚିକିତ୍ସିତ ହୋଇ ସୁସ୍ଥ ହୋଇସାରିଥିବା ଲୋକଙ୍କ ସହ ଫୋନରେ କଥା ହୋଇଥିଲେ ।