‘ହାଉଡ଼ି ମୋଦୀ’ କାର୍ଯ୍ୟକ୍ରମରେ ଓଡ଼ିଆରେ କହିଲେ ପ୍ରଧାନମନ୍ତ୍ରୀ

ହ୍ୟୁଷ୍ଟନ୍‌:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ଟେକ୍ସାସସ୍ଥିତ ହ୍ୟୁଷ୍ଟନରେ ରବିବାର ‘ହାଓଡି ମୋଦୀ’ କାର୍ଯ୍ୟକ୍ରମରେ ୫୦ ହଜାର ଭାରତ ବଂଶୋଦ୍ଭବଙ୍କୁ ସମ୍ବୋଧନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଭାରତ ବିଭିନ୍ନ ରାଜ୍ୟର ଭାଷା ଓ ସଂସ୍କୃତିର ଝଲକ ଦେଖିବାକୁ ମିଳିଥିଲା । ଯେଉଁଥିରେ ସ୍ଥାନ ପାଇଥିଲା ଓଡ଼ିଆ ଓ ଓଡ଼ିଶାର ସଂସ୍କୃତି । ଖୋଦ ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣରେ ଓଡ଼ିଆ ଭାଷାରେ ମଧ୍ୟ କହିଥିଲେ । ଯାହାକି ସେଠାରେ ଥିବା ଓଡ଼ିଆ ଭାଷାଭାଷୀ ପ୍ରବାସୀ ବେଶ୍‌ ଖୁସି ଓ ଗର୍ବ ଅନୁଭବ କରିଥିଲେ ।

‘ହାଓଡି ମୋଦୀ’ କାର୍ଯ୍ୟକ୍ରମରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିଥିଲେ ପ୍ରଧାନମନ୍ତ୍ରୀ । ଏହି ସମୟରେ ମୋଦୀ ବିଭିନ୍ନ ଭାଷାରେ ଭାରତରେ ସବୁ ଭଲ ଅଛି ବୋଲି କହିଥିଲେ । ଓଡ଼ିଆରେ ମଧ୍ୟ କହିଥିଲେ, ଭାରତରେ ‘ସବୁ ଭଲ ଅଛି’। ଏହା ସହିତ ହିନ୍ଦୀ, ବେଙ୍ଗଲି, ମାଲାୟାଲମ୍‌, ଗୁଜରାଟୀ ଆଦି ବହୁ ଭାରତୀୟ ଭାଷାରେ ଏହି କଥା କହିଥିଲେ । ଏହା ପରେ ଉକ୍ତ ପଂକ୍ତିକୁ ଇଂରାଜୀରେ ମଧ୍ୟ ଅନୁବାଦ କରି ଆମେରିକୀୟ ବାସିନ୍ଦା ଓ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପକୁ କହି ବୁଝାଇ ଦେଇଥିଲେ ।

ସେହିପରି ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଶାସ୍ତ୍ରୀୟ ନୃତ୍ୟ ‘ଓଡ଼ିଶୀ’ ପରିବେଷଣ ହୋଇଥିଲା । ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରାୟ ୪ ଶହ କଳାକାର ଅଂଶଗ୍ରହଣ କରିଥିଲେ। । ଓଡ଼ିଶୀ ସହିତ ଅନ୍ୟ ଭାରତୀୟ ନୃତ୍ୟ ମଧ୍ୟ ପରିବେଷଣ କରାଯାଇଥିଲା । ଯାହାକୁ ଦେଖି ଭାରତୀୟ ବଂଶୋଦ୍ଭବ ବହୁତ ଆନନ୍ଦିତ ହୋଇଯାଇଥିଲେ ।