ପୁରୀରେ ବୁଲୁଛି ଭ୍ରାମ୍ୟମାଣ ମୋବାଇଲ୍ ଟାୱାର

ଭୁବନେଶ୍ୱର: ବାତ୍ୟା ପରେ ମୋବାଇଲ୍ ନେଟୱାର୍କ କାମ କରୁ ନ ଥିବା ବେଳେ ଦେଶର ପ୍ରମୁଖ ଘରୋଇ ଟେଲିକମ୍ କମ୍ପାନୀ ଏୟାରଟେଲ୍ ଏହାର ଭ୍ରାମ୍ୟମାଣ ନେଟୱାର୍କ ସେବା ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଛି। ବିଶେଷ କରି ପୁରୀ, ଭୁବନେଶ୍ୱର ଏବଂ କଟକ ଅଞ୍ଚଳରେ ଟେଲି ଯୋଗାଯୋଗ ଏକ ପ୍ରକାର ଅଚଳ ହୋଇଯାଇଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ତେଣୁ କମ୍ପାନୀ ପୁରୀରେ ଏହାର ପ୍ରଥମ ସେଲ୍ ଅନ୍ ହୁଇଲ୍ ସେବା ଆରମ୍ଭ କରିଛି।

ଏହାକୁ ଟେଲିକମ୍ ଭାଷାରେ ସେଲ୍ ଅନ୍ ହୁଇଲ୍(ସିଓଡବ୍ଲ୍ୟୁ) କୁହାଯାଉଛି। ଏହାର ଅର୍ଥ ହେଲା, ଗାଡ଼ିରେ ଟାୱାର ସ୍ଥାପନ ହେବ ଏବଂ ଏହା ବିଭିନ୍ନ ସ୍ଥାନକୁ ଭ୍ରମଣ କରି ପାରିବ। କମ୍ପାନୀ ଏହି ଧାରାରେ କେବଳ ପୁରୀ ଓ ଭୁବନେଶ୍ୱରର ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ୧୩ଟି ସେଲ୍ ଅନ୍ ହୁଇଲ୍ ବା ଭ୍ରାମ୍ୟମାଣ ମୋବାଇଲ୍ ଟାୱାର ବ୍ୟବସ୍ଥା କରିବ ବୋଲି ସୂଚନା ଦେଇଛି। ଏହା ଏଭଳି ଏକ ବ୍ୟବସ୍ଥା ଯାହାକି ଅସ୍ଥାୟୀ ଭାବେ କିଛି ନିର୍ଦ୍ଦିଷ୍ଟ ଅଞ୍ଚଳକୁ ମୋବାଇଲ୍ ନେଟୱର୍କ ଯୋଗାଇବାରେ ସହାୟ ହେବ।

ପ୍ରଥମ ପର୍ଯ୍ୟାୟରେ ଏୟାରଟେଲ କମ୍ପାନୀ ପୁରୀରେ ଏହାର ପ୍ରଥମ ସେବା ଆରମ୍ଭ କରି ସାରିଛି। ପର୍ଯ୍ୟାୟକ୍ରମେ ଅନ୍ୟ ଅଞ୍ଚଳକୁ ଏହି ସେବା ଯୋଗାଇବ। ଏ ସମ୍ପର୍କରେ କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ବର୍ତ୍ତମାନ ଜରୁରିକାଳୀନ ପରିସ୍ଥିତିରେ ଏୟାରଟେଲ୍ ପ୍ରଥମ ଘରୋଇ କମ୍ପାନୀ ଭାବେ ଏହାର ଉପଭୋକ୍ତାଙ୍କୁ ଏଭଳି ସେବା ପ୍ରଦାନ କରିପାରିଛି।