ଆସାମରେ ଆରମ୍ଭ ହେଲା ଇଂଟରନେଟ୍ ସେବା

ଗୌହାଟୀ: ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଆସାମରେ ଲାଗିଥିବା ହିଂସା କାରଣରୁ ମୋବାଇଲ ଇଂଟରନେଟ୍ ସେବା ବନ୍ଦ କରି ଦିଆଯାଇଥିଲା । ମାତ୍ର ହିଂସାର ପରିସ୍ଥିତି ସ୍ୱାଭାବିକ କାରଣରୁ ପୁନର୍ବାର ଶୁକ୍ରବାର ଅର୍ଥାତ୍ ଆଜି ଇଂଟରନେଟ୍ ସେବା ଚାଲୁ କରିଦିଆଯାଇଛି ।

ମୋବାଇଲ୍‌ ଇଂଟରନେଟ୍ ସେବା ଉପରୁ କଟକଣା ହଟାଇବାକୁ ଗୌହାଟି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ପୂର୍ବରୁ ନିର୍ଦେଶ ଦେଇଥିଲେ। ଜଷ୍ଟିସ୍‌ ମନୋଜିତ୍‌ ଭୂୟାଁ ଏବଂ ଜଷ୍ଟିସ୍‌ ସୌମିତ୍ର ସାଇକିଆଙ୍କ ଖଣ୍ଡପୀଠ ସରକାରଙ୍କୁ ନିର୍ଦେଶ ଦେଇ କହିଥିଲେ ଯେ ମୋବାଇଲ୍‌ ଇଣ୍ଟର୍‌ନେଟ୍‌ ସେବା ପୁଣି ଚାଲୁ କରାଯିବା ଉଚିତ। ଏଥିସହ ଖଣ୍ଡପୀଠ ଆହୁରି କହିଥିଲେ ଯେ ସାମାଜିକ ଗଣମାଧ୍ୟମ ପ୍ଲାଟ୍‌ଫର୍ମରେ, ହିଂସାକାଣ୍ଡ ସୃଷ୍ଟି କରିବା ଭଳି ପ୍ରସାରଣ କରାଯାଉଥିବା ବିଭିନ୍ନ ବିସ୍ଫୋରକ ବାର୍ତ୍ତା ଏବଂ ଭିଡିଓ ଉପରେ ନିଷେଧାଦେଶ ଜାରି କରିବାକୁ ସରକାରଙ୍କର ଅବାଧ କ୍ଷମତା ରହିଛି।

ସଂଶୋଧିତ ନାଗରିକତା ଆଇନ ଯୋଗୁଁ ରାଜ୍ୟରେ ବହୁସଂଖ୍ୟକ ଶରଣାର୍ଥୀ ବସବାସ କରିବାର ସୁଯୋଗ ପାଇବେ। ଫଳରେ ରାଜ୍ୟର ମୂଳ ଅଧିବାସୀମାନଙ୍କର ପରମ୍ପରା ଓ ସଂସ୍କୃତି ଉପରେ
ଖରାପ ପ୍ରଭାବ ପଡିବ ଆଶଙ୍କା କରି ଆସାମରେ ପ୍ରତିବାଦ ଓ ଆନ୍ଦୋଳନ ଚାଲିଛି।