ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନୂଆ ଡିଏଚଏଚ କମ୍ପେ୍ଲକ୍ସ ହେବ ସାତ ମହଲା, ଶଯ୍ୟା ସଂଖ୍ୟା ୩୦୦କୁ ବୃଦ୍ଧି

ମୋ ସରକାର ଟିମ୍ ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୋ ସରକାର କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ କେତେକ ନିଷ୍ପତି ନେଇଛନ୍ତି । ମୋ ସରକାର ଟିମର ଭଦ୍ରକ ଗସ୍ତ ପରେ ରୋଗୀମାନଙ୍କର ମନ୍ତବ୍ୟ ଓ ଡାକ୍ତରମାନଙ୍କ ସହ ଆଲୋଚନାକୁ ଭିତିକରି ରାଜ୍ୟ ସରକାର ନିମ୍ନୋକ୍ତି ପଦକ୍ଷେପ ଗ୍ରହଣ କରିଛନ୍ତି ।

ଏହି ନିଷ୍ପତି ଅନୁଯାୟୀ ଅନୁଯାୟୀ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଉନ୍ନତି ତଥା ଉତମ ସ୍ୱାସ୍ଥ୍ୟ ସେବା ପାଇଁ ୭ ମହଲା ବିଶିଷ୍ଟ ଏକ ନୂତନ ଡିଏଚଏଚ କମ୍ପେ୍ଲସ ନିର୍ମାଣ କରାଯିବ । ଏଥିରେ ୩୦୦ଟି ଶଯ୍ୟା ରହିବ । ବର୍ତମାନ ଯେଉଁ ବିଲଡିଂରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କରୁଛି, ସେଥିରେ ୧୯୧ଟି ଶଯ୍ୟା ରହିଛି । ଅଧିକ ରୋଗୀଙ୍କୁ ସେବା ଯୋଗାଇ ଦେବା ପାଇଁ ଏକ ଅନ୍ତରୀଣ ପଦକ୍ଷେପ ଭାବେ ଏହି ଶଯ୍ୟା ସଂଖ୍ୟା ୧୯୧ରୁ ୩୦୦ବୃଦ୍ଧି କରାଯିବ ।

ରୋଗୀମାନଙ୍କ ଆଟେଣ୍ଡାଂଟ ମାନଙ୍କ ପାଇଁ ୨୦ ଲକ୍ଷ ଟଙ୍କାରେ ଏକ ରେଷ୍ଟସେଡ୍ ନିର୍ମାଣ କରାଯିବା ସହିତ ଓ.ପି.ଡି. ପଞ୍ଜୀକରଣ ପାଇଁ ଅଧିକ କାଉଂଟର ଖୋଲାଯିବ । ରୋଗୀ ଓ ଆଟେଣ୍ଡାଂଟମାନଙ୍କ ସୁବିଧା ପାଇଁ ମୁଖ୍ୟ ଚିକିତ୍ସାଳୟ ପରିସର ମଧ୍ୟରେ ପାର୍କିଂ ଏରିଆର ବିକାଶ କରାଯିବ ।

ଭଦ୍ରକ ଜିଲ୍ଲାର ସଦର ମହକୁମା ଚିକିତ୍ସାଳୟ ରୋଗୀ କଲ୍ୟାଣ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ରୋଗୀ କଲ୍ୟାଣ ସମିତିକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୧୫ ଲକ୍ଷ ଟଙ୍କାର ସହାୟତା ଦିଆଯିବ ।