ଓଡ଼ିଶାର ୫-ଟି ଏବଂ ମୋ ସରକାରକୁ ୟୁଏନଡିପିର ପ୍ରଶଂସା

ଜାତୀୟସ୍ତରର ସଂସ୍ଥାଙ୍କ ପରେ ଏବେ ଅନ୍ତର୍ଜାତୀୟ ସ୍ତରରୁ ଓଡ଼ିଶାକୁ ପ୍ରଶଂସା

ଭୁବନେଶ୍ୱର : ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଏବଂ ଲୋକଙ୍କ ପାଖରେ ସୁବିଧାରେ ସେବା ପହଞ୍ଚାଇବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ୫-ଟି ଏବଂ ମୋ ସରକାର କାର୍ଯ୍ୟକ୍ରମକୁ ଜାତୀୟସ୍ତରର ସଂସ୍ଥାଙ୍କ ପରେ ଏବେ ଅନ୍ତର୍ଜାତୀୟ ସ୍ତରରୁ ପ୍ରଶଂସା ମିଳିଛି । ନୀତି ଆୟୋଗଙ୍କ ପରେ ଏବେ ଜାତିସଂଘର ସଦସ୍ୟ ଏଭଳି କାର୍ଯ୍ୟକ୍ରମକୁ ବେଶ୍‍ ପ୍ରଶଂସା କରିଛନ୍ତି । ୟୁଏନଡିପିର ଭାରତ ପ୍ରତିନିଧି ସାକା ନାଡା ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ଅବସରରେ ସେ ସରକାରଙ୍କ ୫-ଟି କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ ହୋଇଥିଲେ । ଏ ସମ୍ପର୍କରେ ଅବଗତ ହେବା ପରେ ଏହାକୁ ସେ ବେଶ୍‍ ପ୍ରଶଂସା କରିଛନ୍ତି । ୫-ଟି କାର୍ଯ୍ୟକ୍ରମ ଅନ୍ୟମାନଙ୍କ ପାଇଁ ପ୍ରେରଣା ବୋଲି ମଧ୍ୟ ନାଡା ଟ୍ୱିଟରରେ ଉଲ୍ଲେଖ କରିଛନ୍ତି  । ଜାତିସଂଘ ବିକାଶ ପରିଷଦର ଏହି ପ୍ରତିନିଧି ଦଳ ଆହୁରି କହିଛନ୍ତି ଯେ ରାଜ୍ୟର ବିକାଶ ମୂଳକ କାର୍ଯ୍ୟରେ ଭାଗିଦାରୀ ହୋଇ ସେମାନେ ଗୌରବ ଅନୁଭବ କରୁଛନ୍ତି । ବିଶେଷକରି ବିପର୍ଯ୍ୟୟ ପରିଚାଳନା ଓ ଜଳବାୟୁ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସେ ପ୍ରଶଂସା କରିଛନ୍ତି ।