ଆସନ୍ତାକାଲି “ମୋ ସରକାର” ଯୋଜନାର ଶୁଭାରମ୍ଭ କରିବେ ନବୀନ

ଭୁବନେଶ୍ୱର:ଆସନ୍ତାକାଲି ଅର୍ଥାତ ଗାନ୍ଧୀ ଜୟନ୍ତୀରୁ ରାଜ୍ୟରେ ଲାଗୁ ହେବ “ମୋ ସରକାର” ଯୋଜନା । “ମୋ ସରକାର” ଯୋଜନାକୁ ସଫଳତାର ସହ ଲାଗୁ କରିବା ନେଇ ତତ୍ପର ରାଜ୍ୟ ସରକାର । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହିଦନଗର ଥାନାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ସେଠାରେ ଅଭିଯୋଗକାରୀଙ୍କ ସହ ସିଧାସଳଖ ଫୋନରେ କଥା ହୋଇ ଫିଡ଼ବ୍ୟାକ୍ ନେବେ ମୁଖ୍ୟମନ୍ତ୍ରୀ । 

“ମୋ ସରକାର” ଯୋଜନା ମାଧ୍ୟମରେ ଲୋକମାନେ ସିଧାସଳଖ ସରକାରଙ୍କ ପାଖରେ ପହଞ୍ଚି ପାରିବେ । ରାଜ୍ୟ ସରକାର ଅର୍ଥାତ ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ନିଜେ ଲୋକଙ୍କ ସହ କଥା ହୋଇ ବିଭିନ୍ନ ବିଭାଗର କାମ ପରଖିବେ । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହିଦନଗର ଥାନାରେ “ମୋ ସରକାର” କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ସେଠାରେ ଅଭିଯୋଗକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ସିଧାସଳଖ ଫୋନରେ କଥା ହୋଇ ମତାମତ ପଚାରି ବୁଝିବେ । ଏବଂ ସରକାରୀ କାର‌୍ୟ୍ୟାଳୟରେ ହେଉଥିବା କାମ ଓ ବ୍ୟବହାର ଉପରେ ଲୋକଙ୍କ ମତାମତ ଗ୍ରହଣ କରିବେ । ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫ଟି କାର‌୍ୟ୍ୟକ୍ରମର ଏକ ଅଂଶ । 

ଆସନ୍ତାକାଲି ଠାରୁ ଏହି “ମୋ ସରକାର” କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ବିଭିନ୍ନ ଜିଲ୍ଲାର ୬୩୫ଟି ଥାନା ଆଇଆଇସି ଅଭିଯୋଗକାରୀଙ୍କୁ ଫୋନ କରି ମତ ପଚାରି ବୁଝିବେ । ଥାନାରେ ଅଭିଯୋଗକାରୀଙ୍କୁ କିପରି ବ୍ୟବହାର କରାଯାଉଛି, ଥାନା ଦାୟିତ୍ୱ ଫିକ୍ସ , ଥାନା କେତେ କାମ କରୁଛି,ଏଫଆଇଆର,ଏଫଆଇଆର ପରେ ମେସେଜ ଆସୁଛି ନା ନାହିଁ, ଅଭିଯୋଗ ଉପରେ ଥାନା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ନା ନାହିଁ ଏନେଇ ଅଭିଯୋଗକାରୀ ନିଜ ମତାମତ ଦେବେ । 

ଏହାପରେ ଅଭିଯୋଗକାରୀଙ୍କ ମାର୍କ ଅନୁସାରେ ଏଥିରୁ ଥାନାର ରିପୋର୍ଟ କାର୍ଡ଼ ପ୍ରସ୍ତୁତ ହେବ । ଏହା ମଧ୍ୟରେ ଥାନାର କୈାଣସି ଏକ ତ୍ରୁଟି ରହିଲେ ତାକୁ ସୁଧାରିବା ପାଇଁ ପୁଣି ଥରେ ସୁଯୋଗ ଦିଆଯିବ । ଥାନା ସମ୍ପର୍କରେ କ୍ରମାଗତ ଭଲ ମତାମତ ନଆସିଲେ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ସେହିପରି ଭଲ କାମ କରିବା ଦ୍ୱାରା ନିଷ୍ଠାବାନ ଥାନା ଅଧିକାରୀଙ୍କୁ ପଦୋନ୍ନତି ମଧ୍ୟ ରହିଛି ।