ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ୪୦ଟି ସ୍ଥାନରେ ରକ୍ତ ସଂଗ୍ରହ କାର୍ଯ୍ୟକ୍ରମ କରିବ ଓଡ଼ିଶା-ମୋ ପରିବାର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ(ଅକ୍ଟୋବର)୧୬କୁ ନିଆରା ଢଙ୍ଗରେ ପାଳନ କରିବାକୁ ଯାଉଛି ଓଡ଼ିଶା-ମୋ ପରିବାର ସଙ୍ଗଠନ । ସେହିକ୍ରମରେ ଶୁକ୍ରବାର ୪୦ଟିସ୍ଥାନରେ ରକ୍ତ ସଂଗ୍ରହ କରାଯିବ ବୋଲି ଜଣାପଡିଛି । ଏହି ସମସ୍ତ ସ୍ଥାନରୁ ପ୍ରାୟ ୫୦୦୦ ରକ୍ତ ୟୁନିଟ୍ ସଂଗ୍ରହ କରାଯିବାର ଲକ୍ଷ୍ୟ ରଖାଯାଇଛି । ସେହିପରି ଚଳିତ ମାସ ୨ ତାରିଖରୁ ଓଡ଼ିଶା ମୋ ପରିବାର ପକ୍ଷରୁ ପ୍ଲାଜମା ସଂଗ୍ରହ କାର୍ଯ୍ୟ ଜାରି ରହିଛି । ମାତ୍ର ୧୩ ଦିନରେ ୧୨୭ ବ୍ୟକ୍ତି ବିଶେଷ ପ୍ଲାଜମା ଦାନ କରିସାରିଲେଣି ।
କୋଭିଡ଼ କଟକଣା କାରଣରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ନିରାଡମ୍ବର ଭାବେ ଜନ୍ମଦିନ ପାଳନ କରିବେ । ନିଜ ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡିଶା ବାସୀ କ ଭଲ ପାଇବା ଓ ଶୁଭେଚ୍ଛା ନିମନ୍ତେ ସେ ସବୁବେଳେ ଋଣୀ । ଗତ ଆଠ ମାସ ହେଲା କୋଭିଡ଼ ଯୋଗୁଁ ସମସ୍ତେ କଠିନ ସମୟ ଦେଇ ଗତି କରୁଛନ୍ତି, ତେଣୁ ଆଗାମୀ କାଲି ନବୀନ ନିବାସ ନ ଆସି ଗରିବ ଲୋକଙ୍କୁ ସାହାଯ୍ୟ କରିବା ,ରକ୍ତ ଦାନ କରିବା ଏବଂplasma ଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣ କୁ ନିବେଦନ କରିଛନ୍ତି। ଏଥିରୁ ପ୍ରେରଣା ନେଇ ଓଡ଼ିଶା-ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ କରାଯିବ । ସେହିଭଳି ରାଜଧାନୀ ଭୁବନେଶ୍ୱର ଏବଂ କଟକର ଶଶ୍ମାନ ଘାଟରେ ଓଡ଼ିଶା-ମୋ ପରିବାର ପକ୍ଷରୁ ସହାୟତା କେନ୍ଦ୍ର ମଧ୍ୟ ଖୋଲାଯାଇଛି ।