ଭୁବନେଶ୍ୱରେ ମୋ ବସ ସେବା ଆରମ୍ଭ,ଉଦଘାଟନ କରି ବସରେ ଟିକେଟ କାଟି ସଚିବାଳୟ ଗଲେ ସିଏମ

ଭୁବନେଶ୍ୱର: ରାଜଧାନୀରେ ଆରମ୍ଭ ହେଲା ମୋ ବସ ସେବା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବସ ସେବାର ଶୁଭାରମ୍ଭ କର୍ିବା ସହ ବସ ଯାତ୍ରା କରିଛନ୍ତି । ବସରେ ଟିକେଟ କାଟି ସାଧାରଣ ଯାତ୍ରୀଙ୍କ ସହ ବସରେ ସଚିବାଳୟ ଆସିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସ୍ମାର୍ଟ ସିଟିରେ ଆରମ୍ଭ ହୋଇଛି ସ୍ମାର୍ଟ ବସ୍‌ ବ୍ୟବସ୍ଥା । ରାଜଧାନୀ ଭୁବନେଶ୍ୱରରେ ‘ ମୋ ବସ’ ସେବା । ନୂତନ ଟେକ୍ନୋଲୋଜିରେ ନିର୍ମିତ ହୋଇଥିବା ଏହି ବସରେ ଅନେକ ସୁବିଧା ରହିଛି । ଏହି ବସ୍‌ରେ ଯାତ୍ରା ପାଇଁ ଘରେ ବସି ଯାତ୍ରୀମାନେ ଇ ଟିକେଟ୍ ବ୍ୟବସ୍ଥା କରିପାରିବେ । ସେହିପରି ଯାତ୍ରା ସମୟରେ ଓ୍ଵାଇ ଫାଇ, ଯାତ୍ରା ସମୟରେ ବିଭିନ୍ନ ଛକ ସମ୍ପର୍କରେ ସୂଚନା ଆଦି ପାଇପାରିବେ । ଏହାସହ ବସରେ ସିସିଟିଭି କ୍ୟାମେରା, ଅଟୋମେଟିକ ସେନସର, ଜିପିଏସ, ଅଡିଓ ଭଏସ ବ୍ୟବସ୍ଥା ଇତ୍ୟାଦି ରହିଛି । ହକି ବିଶ୍ୱକପ ପୂର୍ବରୁ ଜନସାଧାରଣଙ୍କ ଗମନାଗମନ ସୁବିଧା ପାଇଁ ରାଜ୍ୟ ସରକାର ‘ମୋ ବସ ’ କାର‌୍ୟ୍ୟକ୍ରମ ହାତକୁ ନେଇଛନ୍ତି ।

ବସଗୁଡ଼ିକରେ ଓ୍ଵାଇଫାଇ ସେବା ସହିତ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯାଇଛି। ଏହି ମୋ ସେବା ଆରମ୍ଭ ସହିତ ରାଜଧାନୀରେ ଏହି ବର୍ଗର ଶହେଟି ବସ ଆଜି ଠାରୁ ସେବା ପ୍ରଦାନ ଆରମ୍ଭ କରିଛନ୍ତି । ଆଉ ୨ଶହ ବସ୍ ଖୁବ୍ ଶୀଘ୍ର ରାଜଧାନୀ ରାଜରାସ୍ତାରେ ଗଡ଼ିବ ବୋଲି ଜଣାପଡ଼ିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ନବୀନ ପଟ୍ଟନାୟକ ବସ ଚଢ଼ି ସଚିବାଳୟକୁ ଆସିଛନ୍ତି।

ସୂଚନାନୁସାରେ, ଆଗାମୀ ହକି ବିଶ୍ୱକପକୁ ଆଖି ଆଗରେ ରଖି ଯାତ୍ରୀ ପରିବହନ ସେବା ଯେପରି ସୁବିଧାଜନକ ହେବ ସେଥିପାଇଁ ରାଜ୍ୟ ସରକାର ‘ମୋ ବସ’ ସେବା ଆରମ୍ଭ କରିଛନ୍ତି । ମୋଟ୍ ୩ଶହ ବସ ଭୁବନେଶ୍ୱରରେ ଚାଲିବ। ସେଥିମଧ୍ୟରୁ ୨ଶହଟି ନୂଆ ବସ ଥିବାବେଳେ ଶହେଟି ପୁରୁଣା ବସକୁ ଅତ୍ୟାଧୁନିକ ଯନ୍ତ୍ରପାତିରେ ବିକଶିତ କରାଯାଇ ଏହାକୁ ମୋ ବସ କାର‌୍ୟ୍ୟକ୍ରମରେ ସାମିଲ କରାଯିବ। ଆଜି ପ୍ରଥମ ଦଫାରେ ୧ଶହ ବସର ସେବା ଆରମ୍ଭ ହୋଇଛି । ଏହି ବସରେ ମହିଳା ଯାତ୍ରୀଙ୍କୁ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିବ । ତେବେ ସିଟି ବସ ବଦଳରେ ଏହି ବସଗୁଡିକ ଚଳାଚଳ କରିବା ଫଳରେ ଯାତ୍ରୀମାନେ ବେଶ ଉପକୃତ ହେବେ ବୋଲି ଆଶା କରାଯାଉଛି ।