ଡିସେମ୍ବର ପହିଲାରୁ ହ୍ରାସ ପାଇବ ‘ମୋ ବସ୍‌’ ଯାତ୍ରୀ ଭଡା

ଭୁବନେଶ୍ୱର: ଶୀତଋତୁ ଆରମ୍ଭ ହୋଇଯାଇଥିବାରୁ ‘ମୋ ବସ’ ଯାତ୍ରୀଙ୍କ ପାଇଁ ଖୁସି ଖବର ଆସିଛି। କ୍ୟାପିଟାଲ ରିଜିନ ଅରବାନ୍‌ ଟ୍ରାନ୍ସପୋର୍ଟ’ (କ୍ରୁଟ) ଆଗାମୀ ୨ ମାସ ପାଇଁ ଶୀତତାପ ନିୟନ୍ତ୍ରିତ ବସଭଡାରେ ଅହେତୁକ ରିହାତି କରି ବସ୍‌ ଭଡ଼ାର ସୁବ୍ୟବସ୍ଥାକରଣ କରାଯାଇଛି। ଶୀତତାପ ନିୟନ୍ତ୍ରିତ ଭଡାକୁ ୩୮ ପ୍ରତିଶତ ହ୍ରାସ କରାଯାଇଛି। ମାସିକ ପାସ୍‌ର ଦର ମଧ୍ୟ ହ୍ରାସ ପାଇଛି। ଏହି ନୂତନ ଭଡା ଆଗାମୀ ଡିସେମ୍ବର ୧ରୁ ଲାଗୁ ହେବ।

ଏକ ସାମ୍ବାଦିକ ସମ୍ମିଳନୀରେ କ୍ରୁଟର ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର ଶୁକ୍ରବାର ସୂଚନା ଦେଇଛନ୍ତି ଯେ, ଶୀତତାପ ନିୟନ୍ତ୍ରିତ ବସ୍‌ର ପ୍ରଥମ ୨ କିମି ପାଇଁ ସର୍ବନିମ୍ନ ଭଡା ବର୍ତ୍ତମାନ ପାଇଁ ୮ ଟଙ୍କା ପରିବର୍ତ୍ତେ ୫ ଟଙ୍କା ନିର୍ଦ୍ଧାରିତ ହୋଇଛି। ସେହିପରି ଶୀତତାପ ନିୟନ୍ତ୍ରିତ ବସ୍‌ର ସର୍ବାଧିକ ଭଡା ୧୦୦ ଟଙ୍କା ପରିବର୍ତ୍ତେ ୭୦ ଟଙ୍କା କରାଯାଇଛି।

ବର୍ତ୍ତମାନ ଶୀତତାପ ନିୟନ୍ତ୍ରିତ ବସ୍‌ର ଭଡା ଅଣ ଶୀତତାପ ନିୟନ୍ତ୍ରିତ ବସ ଭଡା ଠାରୁ ୬୦ ପ୍ରତିଶତରୁ ୧୪୦ ପ୍ରତିଶତ ଅଧିକ ରହିଛି। ବର୍ତ୍ତମାନ ଦରର ପରିବର୍ତ୍ତନ ପରେ ଏହି ଭଡା ମାତ୍ର ୩୦ ପ୍ରତିଶତ ଅଧିକ ରହିବ। ଏହି ରିହାତି କରାଯିବାର ଉଦ୍ଦେଶ୍ୟ ହେଉଛି ‘ମୋ ବସ’ ଯାତ୍ରୀମାନଙ୍କୁ ଏକ ନିଆରା ଅନୁଭବ ପ୍ରଦାନ କରିବ ତଥା ଶୀତଋତୁରେ ଯାତ୍ରୀ ସଂଖ୍ୟା ବୃଦ୍ଧି କରିବା। ଏହି ନୂଆ ଦର ଆଗାମୀ ଡିସେମ୍ବର ୧ରୁ ୨୦୨୦ ମାର୍ଚ୍ଚ ୩୧ ଯାଏଁ ବଳବତ୍ତର ରହିବ।

ନୂଆ ଭଡ଼ା ବିଷୟରେ ବିଶଦଭାବରେ ବ୍ୟକ୍ତକରି ଶ୍ରୀମତୀ ମହାପାତ୍ର କହିଛନ୍ତି ଯେ, ଯେପରିକି ଅଣ ଶୀତତାପ ନିୟନ୍ତ୍ରିତ ବସ୍‌ଭଡ଼ା ବର୍ତ୍ତମାନ ପରିପ୍ରେକ୍ଷୀରେ ଯଥାକ୍ରମେ ୫, ୮, ୧୦, ୧୩, ୧୫ ଓ ୧୭ ଟଙ୍କା ଇତ୍ୟାଦିରେ ପ୍ରଚଳିତ ଅଛି। ନୂତନ ଭଡ଼ା ଏହି ସ୍ଥାନରେ ୫, ୧୦, ୧୫ ଓ ୨୦ କ୍ରମରେ ପରିବର୍ତ୍ତିତ କରାଯିବ। ଏହି ପ୍ରକ୍ରିୟା ଦ୍ୱାରା ପଇସା ନେଣଦେଣ ପାଇଁ ଉଭୟ ଯାତ୍ରୀ ଓ ବସଗାଇଡମାଙ୍କ ପାଇଁ ସମୟ ମଧ୍ୟ ବଞ୍ଚାଇବ। ଯାହାଦ୍ୱାରା ଅଧିକ ଭିଡ଼ ସମୟରେ ଏହା ବିଶେଷ ରୂପେ ସହାୟକ ହେବ।