କନିକାରେ ବେଆଇନ ଗିରଫ ଦାରୀ ବିରୋଧରେ ଅଣ୍ଟା ଭିଡିଲେ ବିଧାୟୀକା କୁସୁମ ଟେଟେ, କଲେ ତଦନ୍ତ ଦାବି

କନିକା ବିଟ ହାଉସକୁ ଟେକା ମାଡ଼ ଓ ୨ଟି ପୁଲିସ ଗାଡ଼ିକୁ ଭଙ୍ଗାରୁଜା ଘଟଣାରେ ୧୪ ଜଣଙ୍କୁ ପୋଲିସ ଗିରଫ କରିବା ଘଟଣା

ସୁନ୍ଦରଗଡ : ହେମଗିର ଥାନା ଅନ୍ତର୍ଗତ କନିକା ଗ୍ରାମରେ ପୁଲିସ୍ସା ଧାରଣ ଲୋକଙ୍କ ଉପରେ ଚଳାଇଥିବା ଅତ୍ୟାଚାର ଘଟଣାର ତଦନ୍ତ ପାଇଁ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ଦାବି କରିଛନ୍ତି । ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଟେଟେ କହିଛନ୍ତି ଯେ କନିକା ବିଟ ହାଉସକୁ ଟେକା ମାଡ଼ ଓ ୨ଟି ପୁଲିସ ଗାଡ଼ିକୁ ଭଙ୍ଗାରୁଜା ଘଟଣାରେ ପୁଲିସ ଗୁରୁବାର ବିଳମ୍ବିତ ରାତିରେ କନିକା ଗ୍ରାମର୧୪ ଜଣଙ୍କୁ ଗିରଫ କରିଛି । ଏହି ଘଟଣା ପରେ ସେ କନିକା ଗ୍ରାମକୁ ଯାଇ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି । ଗ୍ରାମବାସୀଙ୍କ ଉପରେ ପୁଲିସ ଅକଥନୀୟ  ଅତ୍ୟାଚାର କରିଥିବା ସେମାନେ  ଅଭିଯୋଗ କରୁଛନ୍ତି  । ଏସପିଙ୍କ ନେତୃତ୍ୱରେ ପୁଲିସ କନିକା ଗାଁରେ ଚଢ଼ଉ କରି ଗ୍ରାମବାସୀଙ୍କୁ ଆତଙ୍କିତ କରିଥିଲେ । ପୁଲିସ ଘରକୁ ପଶି ମହିଳାମାନଙ୍କୁ ଅସଦାଚରଣ କରିବା ସହ ଛୋଟ ଛୁଆମାନଙ୍କୁ ମଧ୍ୟ ଦୁର୍ବ୍ୟବହାର ଦେଖାଇଛନ୍ତି । ଏହାଛଡ଼ା ଜଣେ ଗର୍ଭବତୀ ମହିଳାଙ୍କୁ ଖୋଦ୍ ଏସପି ସୋମ୍ୟା ମିଶ୍ର ବେଲଣା ବାଡ଼ିରେ ତଣ୍ଟି ଚିପି ଦେବା ସହ ତାଙ୍କୁ ବିଧବା କରି ଦେବାକୁ ଧମକ ଦେଇଛନ୍ତି । ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ସଂପୃକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଶ୍ରୀମତୀ ଟେଟେ ଦାବି କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେବିଜେପି ଜିଲ୍ଲା ସଭାପତି ବଟ କିଶୋର ମିଶ୍ର, ବିଜେପି ନେତା ଅଡଭୋକେଟ ଜିତୁ ମହାନ୍ତି, ମହିଳା ନେତ୍ରୀ ସଞ୍ଜୁଲତା ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ମଙ୍ଗଳବାର ଦିନ ଏକ ସଡ଼କ ଦୁର୍ଘଟଣାରେ କନିକା ଗାଁର ଲିପୁନ ନାଏକ ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ଲିପୁନଙ୍କୁ ଚିକିତ୍ସା ପାଇଁ ପଠାଇବା ସହ ଦୁର୍ଘଟଣା ଘଟାଇଥିବା ସ୍କର୍ପିଓକୁ କନିକା ଫାଣ୍ଡିରେ ଜିମା ଦେଇଥିଲେ । ହେଲେ ଗତକାଲି ବୁର୍ଲା ଭିଏସଏସ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଲିପୁନଙ୍କ ମୃତ୍ୟୁ ଘଟିଥିଲା । ହେମଗିରି ଥାନା ଅଧିକାରୀ ଦୁର୍ଘଟଣା ଘଟାଇଥିବା ସ୍କର୍ପିଓକୁ ଛାଡ଼ି ଦେଇଥିବା ଅଭିଯୋଗ କରି ଗ୍ରାମବାସୀ କନିକା ବିଟ ହାଉସ ସମ୍ମୁଖରେ ଧାରଣା ଦେଇଥିଲେ । ଏ ବାବଦରେ ଥାନାଧିକାରୀଙ୍କଠାରୁ ଗ୍ରାମବାସୀ ଜବାବ ଚାହୁଁଥିବା ବେଳେ ସେମାନଙ୍କୁ କୌଣସି ଜବାବ ନମିଳିବାରୁ ଉତ୍କ୍ଷିପ୍ତ ଗ୍ରାମବାସୀ ବିଟ୍ ହାଉସ ଉପରକୁ ଟେକା ମାରିବା ସହ ୨ଟି ପୁଲସ ଗାଡ଼ି ଭାଙ୍ଗି ଦେଇଥିଲେ । ଗାଁ ଲୋକେ ସ୍କର୍ପିଓକୁ ଭଙ୍ଗାରୁଜା କରିବା ଆଶଙ୍କାରେ ପୁଲିସ ଏହି ଗାଡ଼ିକୁ ହେମଗିରି ଥାନାକୁ ନେଇଯାଇଥିଲେ ।