ପୁଣିଥରେ ମିଜୋରାମରେ ଭୂକମ୍ପ ଝଟକା

ମିଜୋରାମ: ମିଜୋରାମରେ ବୁଧବାର ରାତିରେ ପୁଣି ଥରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୪.୫ ରହିଛି । ବୁଧବାର ବିଳମ୍ବିତ ରାତି ପ୍ରାୟ ୧ଟା ୧୪ମିନିଟ୍ ସମୟରେ ମିଜୋରାମର ପୁଣି ଥରେ ଭୂମିକମ୍ପ ହୋଇଥିଲା ।

ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ ମିଜୋରାମର ଚମ୍ପାଇଠାରୁ ୨୧ କିଲୋମିଟର ଦକ୍ଷିଣରେ ଥିଲା । ସୂଚନାଯୋଗ୍ୟ ଯେ ବୁଧବାର ସକାଳେ ମିଜୋରାମରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ବିପର୍ଯ୍ୟୟ ପରିଚାଳନା ଅଧିକାରୀଙ୍କ କହିବା ଅନୁସାରେ ଭୂକମ୍ପ ଯୋଗୁଁ କୌଣସି ଜୀବନହାନି କିମ୍ବା ସମ୍ପତ୍ତି ନଷ୍ଟ ହେବାର ଖବର ଆସିନାହିଁ ।

ଗତ ରବିବାରଠାରୁ ମିଜୋରାମରେ ଭୂକମ୍ପ ଝଟକା ଅନୁଭୂତ ହେଉଛି। ବୁଧବାର ଚତୁର୍ଥ ଦିନରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ସୋମବାର ପୂର୍ବ ମିଜୋରାମର ଚମ୍ପାଇ ଅଞ୍ଚଳରେ ଏବଂ ମିଆଁମାର ସୀମାନ୍ତରେ ଥିବା ଅନ୍ୟ ଉତ୍ତର-ପୂର୍ବ ରାଜ୍ୟରେ ୫.୫ ତୀବ୍ରତାର ଭୂକମ୍ପ ଯୋଗୁଁ କୋଠା ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ କ୍ଷତିଗ୍ରସ୍ତ ହୋଇଥିଲା । ମଙ୍ଗଳବାର ଦିନ ହୋଇଥିବା ଏହି ଭୂକମ୍ପର କେନ୍ଦ୍ର ଦକ୍ଷିଣ ମିଜୋରାମର ମିଆଁମାର ନିକଟବର୍ତ୍ତୀ ଜିଲ୍ଲା ଲୁଙ୍ଗଲେରେ ହୋଇଥିଲା । ଏଥିରେ କୌଣସି ପ୍ରକାରର କ୍ଷୟକ୍ଷତି ହୋଇନଥିଲା ।