ଶ୍ରୀଜିଉଙ୍କ ଦର୍ଶନ କଲେ ବଲିଉଡ଼ ଅଭିନେତା ମିଥୁନ

ପୁରୀ : ବଲିଉଡ଼ର ବରିଷ୍ଠ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଗୁରୁବାର ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି। ସେ ଶ୍ରୀମନ୍ଦିରରେ ପହଞ୍ଚି ଭିତରକାଠ ନିକଟରୁ ରତ୍ନସିଂହାସନରେ ବିରାଜମାନ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି। ଶ୍ରୀଜିଉଙ୍କ ଦର୍ଶନ ସମୟରେ ତାଙ୍କ ସହ ତାଙ୍କର ଯାତ୍ରୀପଣ୍ଡା ତଥା ବରିଷ୍ଠ ଦଇତାପତି ରାମକୃଷ୍ଣ ଦାସମହାପାତ୍ର ଉପସ୍ଥିତ ଥିଲେ। ମାନସିକ ଥିବାରୁ ପୁରୀ ଆସି ସେ ମହାପ୍ରଭୁଙ୍କୁ ଦର୍ଶନ କରିଥିବା କହିଛନ୍ତି।

ସୂଚନାଯୋଗ୍ୟ, ମହାପ୍ରଭୁଙ୍କ ଦର୍ଶନ କରିବା ସହିତ ସେ ମା’ ବିମଳା ଦେବୀ, ସରସ୍ୱତୀ ଓ ପରେ ମହାଲକ୍ଷ୍ମୀଙ୍କୁ ଦର୍ଶନ କରିଥିଲେ। ଏହାସହିତ ସେ ଆନନ୍ଦ ବଜାର ମଧ୍ୟ ବୁଲି ଦେଖିଥିଲେ। ମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କ ଦର୍ଶନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା।