ସରିଲା ମିଶନ ଶକ୍ତି ମେଳା, ଛଅ କୋଟିରୁ ଅଧିକ ବେପାର

ଭୁବନେଶ୍ୱର: ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ ଦ୍ରବ୍ୟର ବିକ୍ରୟ ନିମନ୍ତେ, ମିଶନ ଶକ୍ତି ନିର୍ଦ୍ଦେଶାଳୟ, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ରାଜ୍ୟରେ ପ୍ରଥମ ଥର ପାଇଁ ୫ ଡିସେମ୍ବରରୁ ୧୬ ଡିସେମ୍ବର ପର୍ଯ୍ୟନ୍ତ ଭୁବନେଶ୍ୱରର ଇଡକୋ ପ୍ରଦର୍ଶନୀ ପଡିଆରେ “ମିଶନ ଶକ୍ତି ମେଳା” ଆୟୋଜନ ହୋଇଥିଲା । ଏହି ମେଳାରେ ୨୦୨ଟି ଷ୍ଟଲ ମାଧ୍ୟମରେ ବିଭିନ୍ନ ପ୍ରକାର ହସ୍ତତନ୍ତ, ହସ୍ତଶିଳ୍ପ, ଜଙ୍ଗଲ ଜାତ ଦ୍ରବ୍ୟ, ଖାଦ୍ୟ ଜାତୀୟ ଦ୍ରବ୍ୟ, ମସଲା ଏବଂ ଅଣକୃଷି ଜାତୀୟ ଦ୍ରବ୍ୟ ପ୍ରଦର୍ଶନ ଏବଂ ବିକ୍ରୟ କରାଯାଇଛି । ଏହା ବ୍ୟତୀତ ୧୨ଟି ଷ୍ଟଲରେ ମହିଳା ଉଦ୍ୟୋଗୀମାନଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ବିକ୍ରୟ କରାଯାଇଛି । ଅଦ୍ୟାବଧି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ ୬.୦୫୫ କୋଟି ଟଙ୍କା ମୂଲ୍ୟର ସାମଗ୍ରୀ ବିକ୍ରୟ ହୋଇଛି ।

ଏହି ମେଳା ଜରିଆରେ ଗ୍ରାମ ଓ ସହରାଂଚଳର ମହିଳା ଉତ୍ପାଦକ ଗୋଷ୍ଠୀ ମାନଙ୍କ ଦ୍ୱାରା ଉତ୍ପାଦିତ ପଦାର୍ଥର ପ୍ରଦର୍ଶନ, ବିକ୍ରୟ ପାଇଁ ବଜାର ବ୍ୟବସ୍ଥା ଓ ଖାଉଟି ମାନଙ୍କର ପ୍ରାଥମିକତା ଆଧାରରେ ପଦାର୍ଥ ଗୁଡିକର ମାନ ବୃଦ୍ଧି କରାଇବାରେ ବିଶେଷ ସହାୟକ ହୋଇଛି ।

ଏହି ମେଳାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍ କୁମାର ତ୍ରିପାଠୀ, ଉନ୍ନୟନ କମିଶନର ତଥା ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଏବଂ ପ୍ରମୁଖ ମାନ୍ୟଗଣ୍ୟ ବ୍ୟକ୍ତି ଏହି ମେଳା ପ୍ରଦର୍ଶନ କରିଥିଲେ । ପରିଦର୍ଶନ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମହିଳାମାନଙ୍କର ଉଦ୍ୟୋଗ ପ୍ରଚେଷ୍ଟାକୁ ପ୍ରଂଶସା କରିବା ସହିତ ଓଡ଼ିଶାର ସାମାଜିକ ଏବଂ ଅର୍ଥନୈତିକ ବିକାଶରେ ମହିଳାମାନଙ୍କ ଅବଦାନ ପାଇଁ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀ ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତତନ୍ତ ବ୍ୟାଗ ଓ କାଠ ନିର୍ମିତ ଅଳଙ୍କାର ବାକ୍ସ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଠାରୁ କ୍ରୟ କରିଥିଲେ ।

ଆଜି ଉଦଯାପନୀ ସମାରୋହରେ ମହିଳା ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିକାଶ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ସମାରୋହରେ ମିଶନ ଶକ୍ତି ନିର୍ଦ୍ଦେଶାଳୟ ଏବଂ ଅନ ଲାଇନ୍ ବ୍ୟବସାୟ କ୍ଷେତ୍ରରେ ଅଗ୍ରଣୀ ସଂସ୍ଥା ଫ୍ଲିପ୍ କାର୍ଟ ସମନ୍ୱୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ପ୍ରସ୍ତୁତ ଦ୍ରବ୍ୟର ପ୍ରଚାର ଏବଂ ପ୍ରସାର ନିମନ୍ତେ ଚୁକ୍ତିନାମା ସ୍ୱାକ୍ଷର କରାଯାିଥିଲା । ଟାଟା ଟ୍ରଷ୍ଟ ମିଳିତ ସହଯୋଗରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ପ୍ରସ୍ତୁତ ଦ୍ରବ୍ୟର ଅନଲାଇନ୍ ବିକ୍ରୟ ନିମନ୍ତେ ସ୍ୱତନ୍ତ୍ର ମିଶନ ଶକ୍ତି ପୋର୍ଟାଲ ପ୍ରସ୍ତୁତ କରାଯାଉଛି । ୩୦୦ ମହିଳା ଉତ୍ପାଦକ ଗୋଷ୍ଠୀଙ୍କୁ ସୁଦୃଢ଼ କରିବା ନିମନ୍ତେ ମିଶନ ଶକ୍ତି ଓରମାସ୍ ସହିତ ଚୁକ୍ତିନାମା କରିଅଛି, ଯଦ୍ୱାରା ରାଜ୍ୟରେ ମହିଳାମାନଙ୍କର ସମାମାଜିକ ଏବଂ ଅର୍ଥନୈତିକ ସ୍ଥିତି ସୁଦୃଢ଼ ହୋଇପାରିବ ।

ମହିଳା ଶିଶୁ ବିକାଶ ଏବଂ ମିଶନ ଶକ୍ତି ଶ୍ରୀମତୀ ଟୁକୁନି ସାହୁ, ମିଶନ ଶକ୍ତିର ଉପଦେଷ୍ଟା ଶ୍ରୀମତୀ ଡା. ଲୋପାମୁଦ୍ରା ବକ୍ସିପାତ୍ର, ମିଶନ ଶକ୍ତି ନିର୍ଦ୍ଦେଶାଳୟର କମିଶନର ତଥା ନିର୍ଦ୍ଦେଶିକା ଶ୍ରୀମତୀ ସୁଜାତା ଆର. କାର୍ତିକେୟନ, ଏନଆରଏଲଏମର ନିର୍ଦ୍ଦେଶକ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ଏବଂ ଓରମାସ୍ ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଉପସ୍ଥିତିରେ ମିଶନ ଶକ୍ତି ମେଳାର ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।