କେନ୍ଦ୍ରାପଡ଼ାରେ ବ୍ୟବସାୟୀଙ୍କୁ ହତ୍ୟା

କେନ୍ଦ୍ରାପଡ଼ା:କିଛି ଦିନର ବ୍ୟବଧାନ ପରେ ପୁଣି ଥରେ କେନ୍ଦ୍ରାପଡ଼ାରେ ଗୁଳି ଫୁଟିଛି । ସକାଳୁ ସକାଳୁ ସ୍ପଷ୍ଟ ଦିବାଲୋକରେ ଜଣେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । ସେ ଜଣେ ଔଷଧ ବ୍ୟବସାୟୀ ଅଟନ୍ତି । ମାର୍ଶାଘାଇ ବ୍ଲକ୍‌ ଅନ୍ତର୍ଗତ ହାତିଆ ଗାଁ ନିକଟରେ ଏହି ଗୁଳି କାଣ୍ଡ ହୋଇଛି ।

ସଂପୃକ ବ୍ୟକ୍ତିଙ୍କର ମଣିକୁଣ୍ଡାରେ ଏକ ଔଷଧ ଦୋକାନ ରହିଛି । କୌଣସି ଏକ କାମରେ ସେ ମଣିକୁଣ୍ଡାରୁ କେନ୍ଦ୍ରାପଡ଼ା ଟାଉନ୍‌କୁ ଯାଉଥିଲେ । ସକାଳ ପ୍ରାୟ 9ଟା ସମୟରେ ମାର୍ଶାଘାଇ ହାତିଆ ନିକଟରେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ତାଙ୍କ ଉପରକୁ ଗୁଳି କରିଥିଲେ । ଫଳରେ ସେ ଘଟଣା ସ୍ଥଳରେ ପଡ଼ି ଯାଇଥିଲେ । ସ୍ଥାନୀୟ ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ମାର୍ଶାଘାଇ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମାର୍ଶାଘାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।  

ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ କିଛି ଦିନ ତଳେ ଗୁଲନଗର ଛକ ନିକଟରେ ଜଣେ ବ୍ୟବସାୟୀଙ୍କୁ ଗୁଳି କରାଯାଇଥିଲା । ଏହାକୁ ବ୍ୟାପକ ଅସନ୍ତୋଷ ଓ ଆନ୍ଦୋଳନ ହୋଇଥିଲା ।