ସୀମା ସୀମା ଟପିଲେ ସେବାୟତ : ଦେଶର ପ୍ରଥମ ମହିଳା ତଥା ରାଷ୍ଟ୍ରପତିଙ୍କ ସ୍ତ୍ରୀଙ୍କୁ ଶ୍ରୀମନ୍ଦିରରେ ଦୁର୍ବ୍ୟବହାର

ଭୁବନେଶ୍ୱର: ପୁରୀ ସେବାୟତଙ୍କ ବିରୋଧରେ ଏକ ଗୁରୁତର ସଙ୍ଗୀନ ଅଭିଯୋଗ ଆସିଛି । ନିର୍ଦ୍ଦିଷ୍ଟ କେତେକ ସେବାୟତ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯେ କି ଦେଶର ପ୍ରଥମ ନାଗରିକ ଓ ତାଙ୍କ ପତ୍ନୀଙ୍କୁ ମଧ୍ୟ ଛାଡ଼ିନାହାଁନ୍ତି । ତାଙ୍କ ପତ୍ନୀଙ୍କୁ ଦୁର୍ବବ୍ୟହାର କରିଥିବା ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଆସିଲା ପରେ ଏଘଟଣା ଏବେ ଚର୍ଚ୍ଚାକୁ ଆସିଛି । ଚାରିଆଡୁ ଦେଶବ୍ୟାପୀ ଏହାକୁ ନିନ୍ଦା କରାଯାଉଛି । ଯେଉଁ ଜଗନ୍ନାଥଙ୍କ ଧର୍ମକୁ ନେଇ ଓଡ଼ିଶା ବିଶ୍ୱ ଦରବାରରେ ଗର୍ବିତ ହେଉଥିଲା ସେଠି କିଛି ସେବାୟତଙ୍କ ପାଇଁ ଆଜି ଲଜ୍ୟାରେ ମୁଣ୍ଡ ନଇବାକୁ ପଡ଼ିଛି । ଏଥର କୌଣସି ସାଧାରଣ ଭକ୍ତଙ୍କୁ ନୁହେଁ, ବରଂ ଦେଶର ପ୍ରଥମ ମହିଳା ତଥା ରାଷ୍ଟ୍ରପତିଙ୍କ ସ୍ତ୍ରୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ । ମାର୍ଚ୍ଚ ମାସରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଶ୍ରୀମନ୍ଦିର ଦର୍ଶନରେ ଆସିଥିବା ବେଳେ ଏଭଳି ଦୁର୍ବ୍ୟବହାର କରାଯାଇ ଥିବା ସାମ୍ନାକୁ ଆସିଛି । ଯାହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ତୀବ୍ର ହୋଇଥିବା ବେଳେ ସେବାୟତମାନେ କିନ୍ତୁ ଏଡ଼ାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ।

ସାଧାରଣ ଯାତ୍ରୀଙ୍କ କଥା ଛାଡ଼ନ୍ତୁ, ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ବି ଦୁର୍ବ୍ୟବହାର କରିଛନ୍ତି । ଏଭଳି ଏକ ଗୁରୁତର ଅଭିଯୋଗ ଆସିଛି ଶ୍ରୀଜଗନ୍ନାଥ ମନ୍ଦିର ସେବାୟତଙ୍କ ବିରୋଧରେ । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଗତ ମାର୍ଚ୍ଚ ୧୮ରେ ଜଗନ୍ନାଥ ମନ୍ଦିର ଦର୍ଶନ କଲା ବେଳେ ତାଙ୍କ ସ୍ତ୍ରୀଙ୍କୁ ୩ ଜଣ ସେବାୟତ ଦୁର୍ବ୍ୟବହାର କରିଥିବା ରାଷ୍ଟ୍ରପତି ଭବନରୁ ସିଧା ଅଭିଯୋଗ ଆସିଛି । ଏଭଳି ସ୍ଥିତିରେ ରାଷ୍ଟ୍ରପତିଙ୍କ ଅଫିସକୁ ଶ୍ରୀମନ୍ଦିର ପ୍ରଶାସନ ଏବଂ ପୁରୀ ଜିଲ୍ଲା ପ୍ରଶାସନ କି ଉତ୍ତର ଦେବେ, ସେନେଇ ଭାଳେଣି ପଡ଼ିଛି । ଗତ ମନ୍ଦିର ପରିଚାଳନା କମିଟି ବୈଠକରେ ଏନେଇ ତଥ୍ୟ ପଦାକୁ ଆସିବା ପରେ ଚାରିଆଡ଼େ ପ୍ରତିକ୍ରିୟା ଦେଖାଦେଇଛି । ସେବାୟତଙ୍କ ବ୍ୟବହାରକୁ ସବୁ ମହଲରେ ନିନ୍ଦା କରାଯାଉ ଥିବା ବେଳେ ରାଜନୀତି ବି ଜୋର ହେଲାଣି ।

ଏପ୍ରିଲ ୪ ତାରିଖରେ ବସିଥିବା ମନ୍ଦିର ପରିଚାଳନା କମିଟି ବୈଠକରେ ଜିଲ୍ଲାପାଳ ପ୍ରଥମେ ଏକଥା ଉଠାଇଥିଲେ । ସେତେବେଳେ ନିଷ୍ପତ୍ତି ହୋଇଥିଲା, ଏହାର ତଦନ୍ତ ହେବ । ହେଲେ ଏହା ଭିତରେ ପାଖାପାଖି ଅଢେଇ ମାସ ବିତିଥିଲେ ମଧ୍ୟ ଜବାବ ଦିଆଯାଇନି । ତିନି ଦିନ ତଳେ ବସିଥିବା ମନ୍ଦିର ପରିଚାଳନା କମିଟିରେ ନିଷ୍ପତ୍ତି ହୋଇଛି, ୩ ଜଣ ସେବାୟତଙ୍କ ମଧ୍ୟରୁ ୨ ଜଣଙ୍କୁ ଦିଆଯିବ ନୋଟିସ୍ । ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର ବେଳେ ଜଣେ ସେବାୟତ ସେଠି ସେତେବେଳେ ଉପସ୍ଥିତ ନଥିବା ତଦନ୍ତରୁ ଜଣାପଡ଼ିବା ପରେ ୨ ଜଣଙ୍କୁ ଦିଆଯିବ ନୋଟିସ୍ । ଯାହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ତୀବ୍ର ହେଉଥିବା ବେଳେ ସେବାୟତଙ୍କ ପକ୍ଷରୁ ଏହାକୁ ଏଡ଼ାଇବାକୁ ଉଦ୍ୟମ ଆରମ୍ଭ ହୋଇଛି ।

ଶ୍ରୀମନ୍ଦିରରେ ସେବାୟତଙ୍କ ବିଶୃଙ୍ଖଳାକୁ ନେଇ ସୁପ୍ରିମକୋର୍ଟ ବି ହସ୍ତକ୍ଷେପ କରିଛନ୍ତି । ମନ୍ଦିରର ନୀତିକାନ୍ତି ଏବଂ ଦର୍ଶନ ଶୃଙ୍ଖଳିତ କରିବାକୁ ପୁରୀ ଜିଲ୍ଲା ଜଜ୍ ଙ୍କୁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ଅଦାଲତ । ହେଲେ ନା ସୁଧୁରୁଛନ୍ତି ସେବାୟତ ନା ସିରିୟସ୍ ହେଉଛନ୍ତି ଜିଲ୍ଲା ପ୍ରଶାସନ କି ଶ୍ରୀମନ୍ଦିର ପ୍ରଶାସନ ।