ପୁଲୱାମା ଆକ୍ରମଣର ପ୍ରତିଶୋଧ ନେଲା ଭାରତ: ୩୦୦ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ପ୍ରତିଶୋଧ ନେଇଛି ଭାରତ । ଆଜି ଭୋରରୁ ଭାରତୀୟ ବାୟୁସେନା ପାକ୍ ଅଧିକୃତ କାଶ୍ମୀର(ପିଓକେ)ରେ ପ୍ରବେଶ କରି ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ୨ ଶହରୁ ୩ଶହ ଆହତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ବାୟୁସେନା ଏହି ଆକ୍ରମଣରେ ୧୦୦୦ କେଜି ଓଜନର ବୋମା ବ୍ୟବହୃତ କରିଥିଲା । ଏହି ଆକ୍ରମଣର ମୂଳ ଲକ୍ଷ୍ୟ ଥିଲା ଜୈଶ୍-ଇ-ଅହମ୍ମଦ ଶିବିର ତଥା ଟ୍ରେନିଂ କ୍ୟାମ୍ପଗୁଡିକ ସମୂଳେ ନଷ୍ଟ କରିବା । ବାୟୁସେନା ପକ୍ଷରୁ ହୋଇଥିବା ଆକ୍ରମଣରେ ଜୈଶ୍-ଇ-ମହମ୍ମଦର ବହୁ ଶିବିର ଧ୍ୱଂସ ହୋଇଥିବା ଜଣାପଡ଼ିଛି ।

ଭାରତୀୟ ବାୟୁସେନା ସୂତ୍ରରୁ ଜଣାପଡିଛି ଯେ, ଏହି ଆକ୍ରମଣରେ ଜୈଶ୍-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ୩ଟି କଂଟ୍ରୋଂଲ ରୁମ୍ ଧ୍ୱଂସ ହୋଇଛି । ପ୍ରାୟ ଭୋର ୩ଟା ୪୫ରେ ବାଲାକୋଟ୍ ଆତଙ୍କବାଦୀ ଆଡ୍ଡାରେ ବୋମା ବର୍ଷା କରିଥିଲା ମିରାଜ ଯୁଦ୍ଧ ବିମାନ । ଏହାର ଠିକ୍ ୩ମିନିଟ୍ ପରେ ୩ଟା ୪୮ରେ ମୁଜାଫବାଦ୍ ଇଂଚ ପ୍ୟାଡ୍ରେ ଆକ୍ରମଣ କରିଥିଲେ ଭାରତୀୟ ବାୟୁସେନା । ମୁଜାଫବାଦ ଆକ୍ରମଣର ୧୦ ମିନିଟ୍ ପରେ ଅର୍ଥାତ୍ ୩ଟା ୫୮ ମିନିଟ୍ରେ ଚକୋଟି ଆତଙ୍କବାଦୀ ଶିବିର ଉପରେ ବୋମା ବର୍ଷା କରିଥିଲା ବାୟୁସେନା ବିମାନ ମିରାଜ-୨୦୦୦ । ଏହି ୩ଟି ଲଂଚ ପ୍ୟାଡ୍ ଆତଙ୍କବାଦୀଙ୍କ ଟ୍ରେନ୍ କ୍ୟାମ୍ପ ଥିଲା ବୋଲି ସୂଚନା ମିଳିଛି ।

ବାୟୁସେନାର ଏହି ଅପରେସନ୍ ୨୧ ମିନିଟ୍ ଚାଲିଥିବା ସୂଚନା ମିଳିଛି । ଏହି ଆକ୍ରମଣ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ସୂଚିତ କରିଥିଲେ । ଏହି ଅପରେସନରେ ଡ୍ରୋନ୍ ମଧ୍ୟ ବ୍ୟବହାର କରାଯାଇଥିଲା । ଏହି ଆକ୍ରମଣ ପରେ ପାକିସ୍ତାନର ବିଦେଶ ମନ୍ତ୍ରୀ ଶାହା ମେହେମୁଦ୍ କ୍ୱାରେସି ଏକ ଜରୁରିକାଳୀନ ବୈଠକ ଡକାଇଥିବା ଜଣାପଡ଼ିଛି ।

ଅନ୍ୟପଟେ ଭାରତୀୟ ବାୟୁସେନାର ଏହି ସଫଳତାକୁ ନେଇ ବିିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । କଂଗ୍ରେସ ନେତା ଋଣଦୀପ ସିଂ ସୁରଜେୱାଲା ଟ୍ୱିଟ୍ କରି ବାୟୁସେନାକୁ ପ୍ରଂଶସା କରିଛନ୍ତି । ସେହିଭଳି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଭାରତୀୟ ବାୟୁସେନାକୁ ପ୍ରଶଂସା କରିଛନ୍ତି । ଏହି ଖବର ଚାରିଆଡେ ପ୍ରଚାର ହେବାପରେ ବଲିଉଡ୍ର ନାମୀଦାମୀ କଳାକାର ମାନେ ଟ୍ୱିଟ୍ ଜରିଆରେ ବାୟୁସେନାର ଦୁଃସାହସିକ କାର୍ଯ୍ୟ ପାଇଁ ପ୍ରଶଂସା କରିଛନ୍ତି ।