ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

ରାଉରକେଲା: ରାଉରକେଲାରେ ଲଜ୍ଜା । ଜଣେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଉକ୍ତ ନାବାଳିକାଙ୍କୁ ମୁର୍ମୂଷୁ ଅବସ୍ଥାରେ ଉଦ୍ଧାର କରାଯାଇ ସରକାରୀ ହସ୍ପିଟାଲରେ ଭର୍ତି କରାଯାଇଛି।

ସୂଚନା ଅନୁସାରେ ୨୦ ନମ୍ବର ସେକ୍ଟରରେ ରହୁଥିବା ପୀଡିତା ଗତ ଶନିବାର ଟିଉସନ ପଢିବାକୁ ପମ୍ପ ହାଉସ ନିକଟରେ ଥବା ଏକ ଘରକୁ ଯାଇଥିଲେ । ମାତ୍ର ସେ ଆଉ ରାତିରେ ଘରକୁ ଫେରିନଥିଲା । ବାପା ମାଆ ରାତିରେ ଖୋଜାଖୋଜି କରି ଝିଅକୁ ପାଇନଥିଲେ । ଉଭୟ ବାପା-ମାଆ ଦିନ ମଜୁରିଆ ଥିବାବେଳେ କିପରି ଝିଅକୁ ପାଇବେ ସେନେଇ ଚିନ୍ତିତ ଥିଲେ ।

ତେବେ ରବିବାର ସକାଳେ ଅଚାନକ ଟିଉସନ ପଢ଼ାଉଥିବା ଆଂଟି କିଛି ସୂଚନା ପାଇ କୋଏଲ ନଦୀର ଆରପଟୁ ଝିଅକୁ ଉଦ୍ଧାର କରିଥିଲେ । ଝିଅଟି କାନ୍ଦୁଥିଲା ଏବଂ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିଲା । ପରେ ଏକ ସ୍ୱେଚ୍ଛାସେବୀ ସଂଗଠନର କିଛି ସଦସ୍ୟ ନାବଳିକାକୁ ରାଉରକେଲା ସରକାରୀ ହସ୍ପିଟାଲରେ ଥିବା ଚାଇଲଡ଼ ଲାଇନର ‘ସଖୀ’ରେ ଭର୍ତି କରିଛନ୍ତି । ସେଠାରେ ତାର ଚିକିତ୍ସା ସହ କାଉନସେଲିଂ ମଧ୍ୟ ଚାଲିଛି।

ନାବାଳିକାର ବାପା ମାଆ ମଙ୍ଗଳବାର ଝିରିପାଣି ଥାନାରେ ଅଭିଯୋଗ କଲା ପରେ ପୋଲିସ ତଦନ୍ତ ଆରମ୍ଭ ହୋଇଛି । ତେବେ ଆଜି (ବୁଧବାର) ‘ସଖୀ’ ପକ୍ଷରୁ ଝିରିପାଣି ଥାନାରେ ଏତଲା ଦିଆଯିବା ପରେ ପୋଲିସ ନାବାଳିକାର ଡାକ୍ତରି ମଇନା କରିଛି ।