ଖୁଦୁରୁକୁଣୀ ଓଷା ପାଇଁ ନଦୀକୁ ଯାଇଥିବାବେଳେ ଭାସିଗଲେ ୩ ଝିଅ: ୨ ଉଦ୍ଧାର, ଜଣେ ନିଖୋଜ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ କାଞ୍ଜିଆମା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଖୁଦୁରୁକୁଣୀ ପୂଜା ପାଇଁ ନଦୀ ପାଣି ଆଣିବାକୁ ଯାଇ ଜଣେ ନାବାଳିକା ନିଖୋଜ ହୋଇଯାଇଛି । ଆଉ ଦୁଇ ଜଣ ବାଳିକାଙ୍କୁ ସୁରକ୍ଷିତଭାବେ ଉଦ୍ଧାର କରାଯାଇଛି ।

ଆଜି ରବିବାର ଖୁଦୁରୁକୁଣୀ ଓଷା ହୋଇଥିବାରୁ କାଞ୍ଜିଆମା ଗାଁର କିଛି ଝିଅ ଋଷିକୂଲ୍ୟା ନଦୀକୁ ପୂଜା କରିବାକୁ ଯାଇଥିଲେ । ଏହି ସମୟରେ ଅସାବଧାନତା ବଶତଃ ୩ ଜଣ ଝିଅ ନଦୀରେ ବୁଡ଼ି ଯାଇଥିଲେ । ସେଠାରେ ଥିବା ଅନ୍ୟ ଝିଅମାନେ ଗାଁ ଲୋକଙ୍କ ସାହାଯ୍ୟରେ ସେମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବାବେଳେ ଆଉ ଜଣେ ନାବାଳିକା ନିଖୋଜ ହୋଇଯାଇଛି । ଅଗ୍ନିଶମ ବିଭାଗ କର୍ମଚାରୀ ପହଁଚି ଝିଅଟିକୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରଖିଛନ୍ତି ।