ପିକଅପ ଭ୍ୟାନ ଧକ୍କାରେ ନାବାଳିକା ମୃତ; କ୍ଷତିପୂରଣ ଦାବିରେ ରାସ୍ତାରୋକ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଥାନା ଅଞ୍ଚଳରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାଯାଇଛି।ଏହି ଦୁର୍ଘଟଣାରେ ଜଣେ ନାବାଳିକା ପ୍ରାଣ ହରାଇଥିବା ଜଣାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, କାମାକ୍ଷାନଗର ସବଡିଭିଜନ ଅନ୍ତର୍ଗତ ପରଜଙ୍ଗ ଥାନାର ଗଡ଼ପଳାଶୁଣିଠାରେ ଏକ ପିକଅପ ଭ୍ୟାନ ଧକ୍କାରେ ଜଣେ ନାବାଳିକାଙ୍କର ମୃତ୍ୟୁ ଘଟିଛି। ଉକ୍ତ ନାବାଳିକାଙ୍କର ବୟସ ୧୫ ବର୍ଷ ବୋଲି ଜଣାଯାଇଛି। ମୃତକ ଗଡପଳାଶୁଣି ଗାଁର ଅଲେଖ ନାୟକଙ୍କ ଝିଅ ଲିଜା ବୋଲି ଜଣାଯାଇଛି। ସେ ନିକଟରେ ଥିବା ଏକ ପୋଖରୀକୁ ଗାଧୋଇବାକୁ ଯାଉଥିବା ବେଳେ ଦୁର୍ଘଟଣା ହୋଇଥିଲା ।

ଏହାପରେ ସ୍ଥାନୀୟ ଲୋକମାନେ କ୍ଷତିପୂରଣ ଦାବିରେ ରାସ୍ତା ଉପରେ ମୃତ ଦେହ ରଖି ଟାୟାର ଜାଳି ପରଜଙ୍ଗ-ତେଲକୋଈ ରାସ୍ତା ଅବରୋଧ କରିଛନ୍ତି । ଘଟଣା ସ୍ଥଳକୁ ଯାଇଥିବା ଫାଣ୍ଡି ଅଧିକାରୀ ବିନୟ କୁମାର ସାହୁଙ୍କୁ ସ୍ଥାନୀୟ ଲୋକମାନେ ଅଟକ ରଖିଥିବାର ସୂଚନା ମିଳିଥିଲା ।ଘଟଣା ସ୍ଥଳରେ ତୀବ୍ର ଉତ୍ତେଜନା ଦେଖା ଦେଇଛି । ଅପରପକ୍ଷରେ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଛନ୍ତି ।