ନଭେମ୍ବର ୧୮ ରୁ ସଂସଦର ଶୀତକାଳିନ ଅଧିବେଶନ

ନୂଆଦିଲ୍ଲୀ :ନଭେମ୍ବର ୧୮ରୁ ଡିସେମ୍ବର ୧୩ ପର୍ଯ୍ୟନ୍ତ ସଂସଦର ଶୀତକାଳିନ ଅଧିବେଶନ ଚାଲିବ। ସଂସଦୀୟ ମନ୍ତ୍ରାଳୟ ପକ୍ଷରୁ ଉଭୟ ଗୃହର ସଚିବଙ୍କୁ ଅବଗତ କରାଯାଇଛି। ଏହି ଅଧିବେଶନରେ ସରକାର ବହୁ ଗୁରୁତ୍ଵପୂର୍ଣ୍ଣ ବିଧେୟକ ପାରିତ କରିବେ। ସେହି ସମୟରେ ବିରୋଧୀ ଦଳ ଆର୍ଥିକ ମାନ୍ଦାବସ୍ତା, ଜାମ୍ମୁ କାଶ୍ମୀର ସହ ଜଡିତ ପ୍ରସଙ୍ଗ ସହ ଅନ୍ୟ ବିଷୟରେ ସରକାରଙ୍କୁ ଘେରିବା ପାଇଁ ପ୍ରସ୍ତୁତି କରୁଛି। 

ଶୀତକାଳିନ ଅଧିବେଶନରେ ସରକାର ୨ଟି ମହତ୍ଵପୂର୍ଣ୍ଣ ବିଧେୟକ ଆଗତ କରିବା ସହ ୨ଟି ଗୁରୁତ୍ଵପୂର୍ଣ୍ଣ ଅଧ୍ୟାଦେଶ କାନୁନ ତିଆରି କରିବା ପାଇଁ ଯୋଜନା କରୁଛନ୍ତି। ଏଥିରୁ ଏକ ଅଧ୍ୟାଦେଶ ସେପ୍ଟେମ୍ବରରୁ ଆୟକର ଅଧିନିୟମ ୧୯୬୧, ଅର୍ଥ ଅଧିନିୟମ ୨୦୧୯ରେ ସଂଶୋଧନ ପାଇଁ ଜାରି କରାଯାଇଥିଲା। ଅନ୍ୟ ଅଧ୍ୟାଦେଶରେ ସେପ୍ଟେମ୍ବରରେ ଜାରି କରାଯାଇଥିବା ଇ-ସିଗାରେଟ ଏବଂ ଏହିଭଳି ଉପକରଣ ବିକ୍ରୀ, ନିର୍ମାଣ ଓ ମହଜୁଦ ରଖିବାକୁ ନେଇ ପ୍ରତିବନ୍ଧକ ଲଗାଯିବା ନେଇ ଆଲୋଚନା ହେବ। 

ତେବେ ଗତ ୨ ବର୍ଷ ମଧ୍ୟରେ ଶୀତକାଳିନ ଅଧିବେଶନ ନଭେମ୍ବର ୨୧ରେ ଆରମ୍ଭ ହୋଇଥିଲା ଏବଂ ଜାନୁଆରୀର ପ୍ରଥମ ସପ୍ତାହ ଯାଏଁ ଚାଲିଥିଲା।