‘ଆମ ଗାଁ ଆମ ବିକାଶ’ ଯୋଜନାର ୪୬୯ ପ୍ରକଳ୍ପ ପାଇଁ ବିକଳ୍ପ ପ୍ରସ୍ତାବ ଦେବାକୁ ଜିଲ୍ଲାପାଳଙ୍କୁ ମନ୍ତ୍ରୀ ପ୍ରତାପ ଜେନାଙ୍କ ନିର୍ଦେଶ

ଜମି ସମସ୍ୟା ଯୋଗୁ ହୋଇ ପାରିନି ପ୍ରକଳ୍ପ , କାମ ନହେଲେ ଅଫିସରଙ୍କ ସିସିଆରରେ ବାଜିବ ନାଲିଗାର

ଭୁବନେଶ୍ବର : ଆମ ଗାଁ ଆମ ବିକାଶକ ଯୋଜନାରେ ପ୍ରକଳ୍ପ କାମ ତୁରନ୍ତ ସାର । ଯେଉଁଠି ଜମି ସମସ୍ୟା ଲାଗି କାମ ଆରମ୍ଭ ହୋଇପାରିନି ସେହି ପ୍ରକଳ୍ପ ଲାଗି ବିକଳ୍ପ ପ୍ରସ୍ତାବ ପଠାଅ । ପ୍ରସ୍ତାବ ଅନୁସାରେ ବାକିଥିବା ଆମ ଗାଁ ଆମ ବିକାଶ ଯୋଜନାରେ ପ୍ରକଳ୍ପ କାମ ତୁରନ୍ତ ଆରମ୍ଭ ହେବ । ଆିମ ଗାଁ ଆମ ବିକାଶ ଯୋଜନାରେ ହୋଇପାରି ନଥିବା କାମକୁ ନେଇ ଜିଲ୍ଲାପାଳ ମାନଙ୍କୁ ଏମିତି ନିର୍ଦେଶ ଦେଇଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ।

ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, ଆମ ଗାଁ ଆମ ବିକାଶ ଯୋଜନାରେ ରାଜ୍ୟ ସରକାର ମୋଟ ୬୨ ହଜାର ୭ ଶହ ୪୩ ପ୍ରକଳ୍ପ ଘୋଷଣା କରିଥିଲେ । ସେଥିରୁ ୬୨ ହଜାର ୨ ଶହ ୭୩ ପ୍ରକଳ୍ପ କାମ ଆରମ୍ଭ ହୋଇଛି । ୩୦ ହଜାର ୨ଶହ ୬୨ପ୍ରକଳ୍ପ କାମ ସରିଥିବାବେଳେ ବାକି ପ୍ରକଳ୍ପ କାମ ଚାଲୁଛି । ଜମି ଜମା ସମସ୍ୟା ଥିବାରୁ ମାତ୍ର ୪ଶହ ୬୯ ପ୍ରକଳ୍ପ କାମ ଆରମ୍ଭ ହୋଇପାରିନି । ଯେଉଁଠି କାମ ହୋଇନି ସେଠାରେ ଜମି ସମସ୍ୟା ତୁଟାଇ ବିକଳ୍ପ ପ୍ରସ୍ତାବ  ତୁରନ୍ତ ଦେବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦେଶ ଦିଆଯାଇଛି । ବିକଳ୍ପ ପ୍ରସ୍ତାବ ଆସିଲେ ତୁରନ୍ତ କାମ ଆରମ୍ଭ ହେବ ବୋଲି କହିଛନ୍ତି ମନ୍ତ୍ରୀ ।

ସେପଟେ ପଞ୍ଚାୟତରାଜ ବିଭାଗ ସଚିବ ମଧ୍ୟ ଜିଲ୍ଲାପାଳ, ଡିଆରଡିଏର ପ୍ରକଳ୍ପ ନିର୍ଦେଶକ ଏବଂ ବିଡିଓ ମାନଙ୍କୁ ତାଗିତ କରି ଚିଠି ଲେଖିଛନ୍ତି । ଆମ ଗାଁ ଆମ ବିକାଶକ ଯୋଜନାରେ ପ୍ରକଳ୍ପ କାମ ତୁରନ୍ତ ସାର । ଯଦି ପ୍ରକଳ୍ପ କାମ ନସରିବ ତେବେ ଏହି ପ୍ରକଳ୍ପ କାମ ଉପରେ ହିଁ  ଅଫିସରଙ୍କ ସିସିଆର ଭଲ ଆଉ ମନ୍ଦ ନିର୍ଭର କରିବ । ଏହା ସହ ଆମ ଗାଁ ଆମ ବିକାଶ ପ୍ରକଳ୍ପ କାମ ସଂପର୍କରେ ମୁଖ୍ୟମନ୍ତ୍ରୀ ନିକଟରେ ଏକ ସମୀକ୍ଷା କରିବେ ବୋଲି ବି ଚିଠିରେ ସୂଚନା ଦେଇଛି ବିଭାଗ ।