ଆଳୁ ବଜାରରେ ଲାଗିଛି ନିଆଁ : କଳାବାଜାରୀଙ୍କୁ ବାନ୍ଧ – ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର  : ନିୟନ୍ତ୍ରଣ ବାହାରେ ଆଳୁଦର । ସମସ୍ୟାର ସମାଧାନ ପାଇଁ ୨ମାସ ତଳେ ରାଜ୍ୟ ସରକାର ଯେଉଁ ଯୋଜନା କରିଥିଲେ ତାକୁ ନେଇ ବି ଦ୍ୱନ୍ଦ୍ୱ । ନାଫେଡ୍ ଠାରୁ ଆଳୁ କିଣିଲେ ୬ ଟଙ୍କାର ଘୋଡ଼ାକୁ ୯ ଟଙ୍କାର ଦାନା ଦେଲା ଭଳି ହେବ । ତେଣୁ ସେଠୁ ବି ମୁଁହ ଫେରାଇଲେଣି ସରକାର ।  ଏଣେ କଳାବଜାର ରୋକିବାକୁ ଯୋଗାଣ ବିଭାଗ ସଚିବଙ୍କ ଚିଠି ପରେ ରାଜ୍ୟର ବିଭିନ୍ନ ପରିବା ମାର୍କେଟ୍‌ରେ ଚାଲିଛି ରେଡ୍ । ବ୍ୟବସାୟୀ ସଂଘ କହୁଛି ବିହାର ଓ ୟୁପିରୁ ଆଳୁ ଆସୁନି ପଶ୍ଚିମବଙ୍ଗରେ ରେଟ୍ ଖସିଲେ ଓଡ଼ିଶାରେ ଦର କମିବ।

ଆଳୁ ସପ୍ତାହକ ତଳେ ଥିଲା କିଲୋପ୍ରତି ୧୬ ଥିଲା। ।  ତା’ପରେ ୧୮।  ଆଉ ଏବେ କିଲୋ ପିଛା ୨୦ଟଙ୍କା ଛୁଇଁଲାଣି।  ଅତ୍ୟାବଶ୍ୟକ ପରିବା ଆଳୁ ତେବେ କଣ ପାଇଁ ଆକାଶ ଛୁଆଁ ହୋଇଛି । କଳାବଜାରୀ ମାତିନାହଁନ୍ତି ତ’  ଜାଣିବାକୁ ଆଜି ରାଜ୍ୟର ସବୁଠୁ ବଡ଼ ପରିବା ମାର୍କେଟ୍ କଟକର ଛତ୍ର ବଜାରରେ ହୋଇଥିଲା ଅତର୍କିତ ଚଢ଼ଉ।

ରାଜ୍ୟରେ ଆଳୁ ଦରବୃଦ୍ଧି ରୋକିବାକୁ ଯୋଗାଣ ବିଭାଗ ସଚିବଙ୍କ ସବୁ ଜିଲ୍ଲାପାଳଙ୍କୁ କଡ଼ା ଚିଠି ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଛି ଷ୍ଟକ ଯାଞ୍ଚ । ଏବର୍ଷ ପଶ୍ଚିମବଙ୍ଗ ଓ ଉତ୍ତର ପ୍ରଦେଶରେ କମ୍ ଆଳୁ ଉତ୍ପାଦନ ହୋଇଛି । ଯାହାର ଫାଇଦା ନେବା ଲକ୍ଷ୍ୟରେ କିଛି ବେପାରୀ ବେଆଇନ୍ ଆଳୁ ମହଜୁଦ ରଖି କୃତ୍ରିମ ଅଭାବ ସୃଷ୍ଟି କରି ପାରନ୍ତି।  ତେଣୁ ବେଆଇନ୍ ମହଜୁଦକାରୀଙ୍କ ବିରୋଧରେ ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ ଅନୁସାରେ କାଅର୍ଯ୍ୟାନୁଷ୍ଠାନ ନେବାକୁ ବି କହିଛନ୍ତି।   ସେପଟେ ଆଳୁ ସମସ୍ୟାର ସ୍ଥାୟୀ ସମାଧାନ ଲାଗି ୨ମାସ ତଳେ ନାଫେଡ୍ ମାଧ୍ୟମରେ ଆଳୁ କିଣିବାକୁ ନେଇ ରାଜ୍ୟ ସରକାର କରିଥିବା ଯୋଜନା ଏବେ ଦ୍ୱନ୍ଦ୍ୱରେ । ଯଦିଓ କେନ୍ଦ୍ର ଏଥିପାଇଁ ଅର୍ଥ ଦେବାକୁ ରାଜି ଅଛି, କିନ୍ତୁ ଉଚ୍ଚା ରେଟ୍ ଯୋଗୁଁ ନାଫେଡ୍ ମାଧ୍ୟମରେ ଆଳୁ କିଣିବେ କି ନାହିଁ ତାହା ସ୍ଥିର କରି ପାରୁ ନାହାଁନ୍ତି ସରକାର।

ରାଜ୍ୟରେ ଆଳୁ ଦର ବୃଦ୍ଧି ନେଇ ସରକାରଙ୍କୁ ଚିନ୍ତା ଘାରିଛି। ଆଳୁ କଳାବଜାର ରୋକିବାକୁ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଯୋଗାଣ ଅଧିକାରୀଙ୍କୁ ଚିଠି ଲେଖିଛି ଯୋଗାଣ ବିଭାଗ। ଚିଠିରେ ଉଲ୍ଲେଖ ରହିଛି, ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶ ଭଳି ରାଜ୍ୟର ଏବର୍ଷ ଆଳୁ ଉତ୍ପାଦନ କମ୍‌ ରହିଥିବାରୁ ଓଡ଼ିଶାରେ ଦର ବୃଦ୍ଧି ହୋଇଛି। ତେଣୁ କିଛି  ବ୍ୟବସାୟୀ ବଜାରରେ କୃତ୍ରିମ ଅଭାବ ସୃଷ୍ଟି କରିପାରନ୍ତି। ତେଣୁ ଧାର୍ଯ୍ୟ ଠାରୁ ଅଧିକ ଆଳୁ ମହଜୁଦ ରଖିଲେ ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଗ୍ରାହକ କିଭଳି ସଠିକ୍ ମୂଲ୍ୟରେ ପାଇପାରିବେ ସେନେଇ ଦୃଷ୍ଟି ଦେବାକୁ କୁହାଯାଇଛି।

ସେହିପରି ଆଳୁ ଉତ୍ପାଦନ ହେଉଥିବା ରାଜ୍ୟରୁ ଯେଭଳି ପରିବହନ ବାଧାପ୍ରାପ୍ତ ନ ହେବ, ସେନେଇ ଦୃଷ୍ଟି ଦେବାକୁ ସୀମାନ୍ତ ଅଞ୍ଚଳ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ରହିଛି।

ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି,“କଟକରେ ପାଇକାରୀ ଆଳୁ ବ୍ୟବସାୟୀମାନେ ୫ଶହ କ୍ୱିଣ୍ଟାଲ ଏବଂ ଭୁବନେଶ୍ୱର ଓ ଅନ୍ୟ ସହରରେ ବ୍ୟବସାୟୀମାନେ ୩୫୦ କ୍ୱିଣ୍ଟାଲ ରଖିବାକୁ ନିର୍ଦ୍ଦେଶ ରହିଛି।”

ନାଫେଡ଼ ମାଧ୍ୟମରେ ଆଳୁ କିଣିବାକୁ ଥତମତ ହୋଇଛନ୍ତି ସରକାର। ନାଫେଡ଼ଠୁ ୧୬ ଟଙ୍କାରେ ଆଳୁ କିଣିଲେ ବ୍ୟବସାୟୀ କେତେ ଟଙ୍କାରେ ବିକିବେ ବୋଲି ସୂର୍ଯ୍ୟପାତ୍ର କହିଛନ୍ତି। ଏଥିସହ ନାଫେଡ଼ ମାଧ୍ୟମରେ କିଣା ଯିବ କି ନାହିଁ ସରକାର ଚିନ୍ତା କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।