ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୫-ଟିର ମନ୍ତ୍ରୀଙ୍କ ଅଚାନକ ଗସ୍ତ

ଭଦ୍ରକ: ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ। ଆଜି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଚାନକ ପରିଦର୍ଶନରେ ଆସି ସ୍ବାସ୍ଥ୍ୟସେବା ସ୍ଥିତି ପରଖିଛନ୍ତି। ଦିନ ପ୍ରାୟ ୧୨ଟା ବେଳକୁ ମନ୍ତ୍ରୀ ଶ୍ରୀ ଦାସ ଡାକ୍ତରଖାନାରେ ପହଞ୍ଚି ପ୍ରଥମେ ଆଉଟଡୋର୍‌ ବୁଲି ଦେଖିବା ସହ ବିଭିନ୍ନ ୱାର୍ଡକୁ ଯାଇ ରୋଗୀମାନଙ୍କ ଭଲମନ୍ଦ ପଚାରି ବୁଝିଥିଲେ।

ମନ୍ତ୍ରୀ ଶ୍ରୀ ଦାସ ଟ୍ରମା ସେଣ୍ଟର, ପ୍ରସୂତି ୱାର୍ଡ ବୁଲି ଦେଖିବା ସହ ଡାକ୍ତରଖାନାର ବିଭିନ୍ନ ସମସ୍ୟା ସଂପର୍କରେ ସିଡିଏମ୍‌ଓ ଡାକ୍ତର ଆର୍ଯ୍ୟ ମିଶ୍ରଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୭୬ ଡାକ୍ତର ପଦରୁ ମାତ୍ର ୩୩ ଜଣ ଅଛନ୍ତି ବୋଲି ଜାଣିବା ପରେ ଖାଲି ପଡ଼ିଥିବା ଡାକ୍ତର ପଦରୁ ୨୫ ପ୍ରତିଶତ ଏକ ମାସ ମଧ୍ୟରେ ପୂରଣ କରାଯିବ ବୋଲି କହିଥିଲେ। ଜିଲ୍ଲାରେ ଅନୁମୋଦିତ ଡାକ୍ତର ସଂଖ୍ୟା ୧୦୬ ଥିବା ବେଳେ ଅଛନ୍ତି ମାତ୍ର ୭୪ ଜଣ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନର୍ସ, ଫାର୍ମାସିଷ୍ଟ ଓ ଅନ୍ୟାନ୍ୟ ପଦ ଫାଙ୍କା ପଡିଥିବା ବେଳେ ଜିଲ୍ଲାରେ ପିଏଚ୍‌ସି, ସିଏଚ୍‌ସି ଓ ହେଲଥ୍ ସେଣ୍ଟରଗୁଡିକରେ ୨୫୦ରୁ ଅଧିକ ଏଏନ୍‌ଏମ୍‌ ପଦ ଖାଲିପଡିଛି। ବିଶେଷ କରି ଏଏନ୍‌ଏମ୍‌ ପଦ ଖାଲି ପଡିଥିବାରୁ ରୋଗୀମାନଙ୍କୁ ପ୍ରାଥମିକ ସ୍ବାସ୍ଥ୍ୟସେବା ଯୋଗାଇ ଦେବାରେ ସମସ୍ୟା ଉପୁଜୁଛି ବୋଲି ମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବର୍ଷେ ହେଲା ଅଲ୍‌ଟ୍ରାସାଉଣ୍ଡ ମେସିନ୍ ଅଚଳାବସ୍ଥାରେ ଥିବା ଜାଣିବା ପରେ ମନ୍ତ୍ରୀ ବିଗିଡ଼ିଥିଲେ। ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ତୁରନ୍ତ ଅଲଟ୍ରାସାଉଣ୍ଡ ମେସିନ୍ କିଣିବା ସହ ଡାକ୍ତରଖାନାରେ ମାଗଣା ଡାଏଲିସିସ୍‌, ଇସିଜି ଓ ୨୪ ଘଣ୍ଟିଆ ରକ୍ତ ପରୀକ୍ଷଣର ସୁବିଧା ଉପଲବ୍ଧ କରାଇବା ଲାଗି ସିଡିଏମ୍‌ଓଙ୍କୁ ପରାମର୍ଶ ଦେଇଥିଲେ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କାହିଁକି ସ୍ଥାନାନ୍ତର ହୋଇ ପାରୁନାହିଁ ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ ଶ୍ରୀ ଦାସ କହିଥିଲେ, ମାସକ ଭିତରେ ଏ ନେଇ ସ୍ବତନ୍ତ୍ର ବୈଠକ ଡକାଯିବ। ଗେଲପୁର ମୌଜାରେ ନିର୍ମାଣ କରାଯିବାକୁ ଥିବା ମହିଳା ଓ ଶିଶୁୱାର୍ଡ ବିଲ୍‌ଡିଂକୁ ୧୮ ମାସ ଭିତରେ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ୧୯ କୋଟି ୪୪ ଲକ୍ଷ ଟଙ୍କା ମଞ୍ଜୁର ହୋଇ ଟେଣ୍ଡର ପ୍ରକ୍ରିୟା‌ ଶେଷ ହୋଇଛି। ସେହିପରି ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଜିଲ୍ଲାବାସୀ ଏବଂ ବିଭିନ୍ନ ସଂଗଠନ ଦୀର୍ଘ ୧୦ ବର୍ଷ ହେଲା ଦାବି କରି ଆସୁଥିବାବେଳେ ଏ ସଂପର୍କରେ ସେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ ବୋଲି କହିଥିଲେ। ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ତାଙ୍କ ସାଂସଦ ପାଣ୍ଠିରୁ ଜିଲ୍ଲାର ୧୧ଟି ଡାକ୍ତରଖାନା ପାଇଁ ୧୧ଟି ଆମ୍ବୁଲାନ୍ସ ପ୍ରଦାନ କରିଥିବାବେଳେ ସେଗୁଡ଼ିକୁ ସଂପୃକ୍ତ ଡାକ୍ତରଖାନାକୁ ପଠାଇ ଦେବା ନିମନ୍ତେ ମନ୍ତ୍ରୀ ପରାମର୍ଶ ଦେଇଥିଲେ। ଆଲୋଚନା ବେଳେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଚାନ୍ଦବାଲି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ବ୍ୟୋମକେଶ ରାୟ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଜିଲ୍ଲାପାଳ ଜ୍ଞାନରଞ୍ଜନ ଦାସ, ଉପଜିଲ୍ଲାପାଳ ପିତାମ୍ବର ସାମଲ, ସିଡିଏମ୍‌ଓ ଡା. ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।