ରସିକିଆ ମନ୍ତ୍ରୀ ! ସାମ୍ବାଦିକାଙ୍କୁ ସାଙ୍ଗରେ ନେଇ ଜିଲ୍ଲା ଗସ୍ତ

ରାଜ୍ୟର ଜଣେ ବରିଷ୍ଠ କ୍ୟାବିନେଟ୍ ମନ୍ତ୍ରୀଙ୍କ ଜିଲ୍ଲା ଗସ୍ତକୁ ନେଇ ଏବେ ପାୱାର କରିଡରରେ ଚର୍ଚ୍ଚା । ଆଉ ଏହି ଚର୍ଚ୍ଚାକୁ ମନ୍ତ୍ରୀଙ୍କ ଅଫିସ୍ କୁଆଡ଼େ ଅଧିକ ପ୍ରଚାର ପ୍ରସାର କରୁଛି । ଶୁଣିବାକୁ ମିଳୁଛି, ରାଜ୍ୟର ଜଣେ କ୍ୟାବିନେଟ୍ ମନ୍ତ୍ରୀ ଏବେ ପଶ୍ଚିମ ଓଡ଼ିଶାର ଗୋଟିଏ ଜିଲ୍ଲାର ଦଳୀୟ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ରହିଛନ୍ତି । ସାଂଗଠନିକ କାର୍ଯ୍ୟରେ ଉକ୍ତ ଜିଲ୍ଲା ଗସ୍ତରେ ମନ୍ତ୍ରୀ ମାସକୁ ଥରେ-ଦୁଇଥର ଯିବା ସ୍ୱାଭାବିକ । କିନ୍ତୁ ଗତ ସପ୍ତାହରେ ମନ୍ତ୍ରୀ ଏହି ଜିଲ୍ଲା ଗସ୍ତରେ ଯାଇଥିବାବେଳେ କୁଆଡ଼େ ସାଙ୍ଗରେ ଜଣେ ମହିଳା ସାମ୍ବାଦିକଙ୍କୁ ନେଇଥିଲେ । ସେହି ଜିଲ୍ଲାର ବିକାଶର କାର୍ଯ୍ୟ ଓ ସରକାରଙ୍କ ସଫଳତାକୁ ନେଇ ସମ୍ପୃକ୍ତ ସାମ୍ବାଦିକା କୁଆଡ଼େ ଏକ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତ କରିବେ । ମନ୍ତ୍ରୀଙ୍କ ସହ ଏହି ମହିଳା ସାମ୍ବାଦିକଙ୍କୁ ଜିଲ୍ଲା ଗସ୍ତରେ ଯିବା ପାଇଁ କୁଆଡ଼େ ଏକ ପ୍ରତିଷ୍ଠିତ ଖବରକାଗଜର ଅନ୍ୟଜଣେ ସାମ୍ବାଦିକ ପ୍ରସ୍ତାବ ଦେଇଥିଲେ । ଆତ୍ମପ୍ରଚାର ପାଇଁ ବ୍ୟାକୁଳ ମନ୍ତ୍ରୀ ବି କୁଆଡ଼େ ଏହି ପ୍ରସ୍ତାବରେ ସମ୍ମତି ଦେଇଥିଲେ । ଆଉ ନିଜ ଗାଡ଼ିରେ ସମ୍ପୃକ୍ତ ମହିଳା ସାମ୍ବାଦିକଙ୍କୁ ଧରି ଜିଲ୍ଲା ଗସ୍ତରେ ଯାଇଥିଲେ । ଜିଲ୍ଲା ସର୍କିଟ ହାଉସ୍ରେ ମନ୍ତ୍ରୀଙ୍କ ରହିବା ପାଇଁ ଭବ୍ୟ ଆୟୋଜନ ବି ତାଙ୍କ ବିଭାଗ ପକ୍ଷରୁ ହୋଇଥିଲା । ଦୁହାଁଳିଆ ବିଭାଗ ଦାୟିତ୍ୱରେ ଥିବାରୁ ଫେରିବାବେଳେ ବି ମନ୍ତ୍ରୀ ମୋଟାଅଙ୍କର ପକେଟ୍ ମନି ସାଙ୍ଗରେ ଧରି ଫେରିଥିଲେ । କିନ୍ତୁ ମନ୍ତ୍ରୀ ନିଜ ସହ ଜଣେ ଅବିବାହିତା ଯୁବତୀ ସାମ୍ବାଦିକାଙ୍କୁ ନେଇ ଦୁଇଦିନ ପାହାଡ଼-ଜଙ୍ଗଲଘେରା ଅଂଚଳରେ ବୁଲିବା ଓ ରାତି ବିତାଇବାକୁ ନେଇ ଏବେ ନାନା ଚର୍ଚ୍ଚା ପାୱାର କରିଡ୍ରେ ହେଉଛି । ଅବଶ୍ୟ ଜିଲ୍ଲା ଗସ୍ତରେ ଯିବାବେଳେ ନିଜ ସହ ଯୁବତୀଙ୍କୁ ନେଇ ଯିବା ମନ୍ତ୍ରୀଙ୍କ ପୁରୁଣା ଅଭ୍ୟାସ । ପୂର୍ବରୁ ଦଳୀୟ ନେତ୍ରୀଙ୍କୁ ସାଙ୍ଗରେ ନେଉଥିବା ଏହି ରସିକିଆ ମନ୍ତ୍ରୀ ପ୍ରଥମଥର ପାଇଁ ମହିଳା ସାମ୍ବାଦିକାଙ୍କୁ ନେଇଥିଲେ ।