ଶିଳ୍ପ ପାଇଁ ଆବଶ୍ୟକୀୟ ଜମି ପରିମାଣ ବିଷୟରେ ସଠିକ୍ ଅନୁଧ୍ୟାନ ନିମନ୍ତେ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

୯୮ଟି ପୁଞ୍ଜି ନିବେଶ ପ୍ରକଳ୍ପ ପାଇଁ ଜମି ଆବଂଟନ ତ୍ୱରାନ୍ୱିତ

ଭୁବନେଶ୍ୱର: ଦୃତ ଶିଳ୍ପାୟନ ମାଧ୍ୟମରେ ନିଯୁକ୍ତି ସୁଯୋଗ ସୃଷ୍ଟି ଦିଗରେ ଅନ୍ୟ ଏକ ପଦକ୍ଷେପ ସ୍ୱରୂପ ରାଜ୍ୟରେ ୯୮ଟି ପୁଞ୍ଜିନିବେଶ ପ୍ରକଳ୍ପ ନିମନ୍ତେ ଜମି ଆବଂଟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛନ୍ତି । ଏଥିନିମନ୍ତେ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଶିଳ୍ପ ପାଇଁ ଜମି ସୁପାରିଶର ଉଚ୍ଚସ୍ତରୀୟ ସୁପାରିଶ ବୈଠକ ହୋଇଥିଲା । ରାଜ୍ୟ ଲୋକସେବା ଭବନଠାରେ ଅନୁଷ୍ଠିତ ଏହି ବୈଠକରେ ପ୍ରମୁଖ ଶାସନ ସଚିବ ତଥା ଇଡକୋର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସଞ୍ଜୟ କୁମାର ସିଂ ରାଜ୍ୟ ପାଇଁ ପ୍ରକଳ୍ପ ଗୁଡିକର ପ୍ରୟୋଜନିୟତା, ବୈଷୟିକ ଓ ଆର୍ଥିକ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ । ପ୍ରସ୍ତାବ ଗୁଡିକର ସବିଶେଷ ଆଲୋଚନା କରି ଜମି ଆବଂଟନ ପାଇଁ କମିଟି ସରକାରଙ୍କୁ ସୁପାରିଶ କରିଥିଲେ ।

କେଉଁ ପ୍ରକାର ଶିଳ୍ପ ନିମନ୍ତେ କେମେ ଜମି ଆବଶ୍ୟକ ତାହାର ସଠିକ୍ ଅନୁଧ୍ୟାନ୍ କରି ଏକ ନମୁନା ତାଲିକା ପ୍ରସ୍ତୁତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ଇଡକୋଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆବଂଟନ କରାଯାଉଥିବା ଜମିର ଶତ ପ୍ରତିଶତ ଉପଯୁକ୍ତ ବ୍ୟବହାର ଉପରେ ଗୁରୁତ୍ୱ ଅରୋପ କରି ଏହା ନିଶ୍ଚିତ କରାଇବାକୁ ମଧ୍ୟ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ ।

ବୈଠକ ଗଣମାଧ୍ୟମ ପ୍ରଶ୍ନର ଉତର ଦେଇ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସିଂ କହିଥିଲେ ଯେ, ଏହି ପ୍ରକଳ୍ପ ଗୁଡିକ ମୁଖ୍ୟତଃ ଖାଦ୍ୟ ପ୍ରିକ୍ରିୟାକରଣ, ଲଜିଷ୍ଟିକ ପାର୍କ, ପଦାର୍ଥ ଉତ୍ପାଦନ(ମାନୁଫାକଚରିଂ), ସବୁଜ ଶକ୍ତି ସମ୍ବନ୍ଧି ଶିଳ୍ପ ଏମାନେ ପ୍ରୟାତଃ ମଧ୍ୟମ ଓ କ୍ଷୁଦ୍ର ଶିଳ୍ପ ହୋଇଥିବାରୁ ସେସବୁରେ ଅଧିକ ନିଯୁକ୍ତି ସୁଯୋଗ ରହିଛି । ଏହି ଶିଳ୍ପମାନଙ୍କ ମାଧ୍ୟମରେ ରାଜ୍ୟରେ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧି ପାଇବ ବୋଲି ଶ୍ରୀ ସିଂ କହିଥିଲେ । ଏହି ଶିଳ୍ପ ପାଇଁ ଭୁବନେଶ୍ୱର ନିକଟବର୍ତୀ ଗୋଠପଟଣା, ଇନଫୋସିଟି, ଇନଫୋଭ୍ୟାଲି, ଡୋରାସ୍ ସାମୁଦ୍ରିକ ଖାଦ୍ୟ ପାର୍କ ସହ ଖୋର୍ଦ୍ଧା, ଖୋଲାଦ୍ୱା. ଜୟମଙ୍ଗଳ, ଅଁଳାପାଟଣା, ଛତାବର, ଭଗବାନପୁର ଓ ମଂଚେଶ୍ୱର ଆଦି ଶିଳ୍ପାଂଚଳରେ ଜମି ନିମନ୍ତେ ସୁପାରିଶ କରାଯାଇଛି ବୋଲି ଶ୍ରୀ ସିଂ ଜଣାଇଥିଲେ ।

ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ ମୋନା ଶର୍ମା, ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା, ଆଇନ୍ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଶଶିକାନ୍ତ ମିଶ୍ର, କୌଶଳ ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂଙ୍କ ସମେତ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।