ନାଶିକ: ୫୩ ଜଣ ପ୍ରବାସୀ ଶ୍ରମିକଙ୍କୁ ନେଇ ଓଡ଼ିଶା ଅଭିମୁଖେ ଆସୁଥିବା ଗୋଟାଏ ଟ୍ରକ୍ ଗୁରୁବାର ଦିନ ମହାରାଷ୍ଟ୍ରର ନାଶିକ ଜିଲ୍ଲାର ଘୋତି-ସିନ୍ନାର ରାଜପଥରେ ଓଲଟି ପଡ଼ିବାରୁ ଅନ୍ୟୂନ ୫ ଜଣ ଶ୍ରମିକ ସାଙ୍ଘାତିକ ଆହତ ହୋଇଛନ୍ତି। ଆହତମାନଙ୍କୁ ନାଶିକ ସରକାରୀ ଡାକ୍ତରଖାନାରେ ଚିକିତ୍ସା କରାଯାଇଛି।
ପ୍ରାପ୍ତ ସୂଚନା ଅନୁସାରେ, ଓଡ଼ିଶା ରାଜ୍ୟର ୫୩ ଜଣ ପ୍ରବାସୀ ଶ୍ରମିକଙ୍କୁ ଧରି ଟ୍ରକ୍ଟି ଓଡ଼ିଶା ଆସୁଥିଲା। ସେଥିରୁ ଗଞ୍ଜାମ ଜିଲ୍ଲାର ଚିକିଟି ଓ ପାତ୍ରପୁର ଜିଲ୍ଲାର ୧୫ ଜଣ ଶ୍ରମିକ ଥିବାବଳେ ବାକି ଶ୍ରମିକ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର।
ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର୍ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। କିନ୍ତୁ, ହେଲ୍ପର୍କୁ ସ୍ଥାନୀୟ ଲୋକମାନେ ଧରି ପୁଲିସକୁ ହସ୍ତାନ୍ତର କରିଛନ୍ତି। ୫୩ ପ୍ରବାସୀ ଶ୍ରମିକଙ୍କୁ ଓଡ଼ିଶାରେ ପହଞ୍ଚାଇବାକୁ ନାଶିକର ସ୍ଥାନୀୟ ପ୍ରଶାସନ ବସ୍ ବ୍ୟବସ୍ଥା କରିସାରିଛି। କିଛି ସମୟ ପରେ ସେଠାରୁ ବସ୍ ଛାଡ଼ିବ।