ପୁଣି ପ୍ରବାସୀ ଶ୍ରମିକଙ୍କ ବସ ଦୁର୍ଘଟଣାଗ୍ରସ୍ତ; ୧୦ ଆହତ

ଭୁବନେଶ୍ୱର : ପୁଣି ପ୍ରବାସୀ ଶ୍ରମିକଙ୍କ ବସ ଦୁର୍ଘଟଣାଗ୍ରସ୍ତ। ଦୁର୍ଘଟଣାରେ ୧୦ରୁ ଅଧିକ ଆହତ। ଆହତମାନଙ୍କୁ ଚିକିତ୍ସା ନିମନ୍ତେ କଟକ ବଡ ମେଡିକାଲରେ ଭର୍ତି କରାଯାଇଛି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି କଟକ ଜିଲ୍ଲାର ଟାଙ୍ଗୀରେ।

ସୂଚନା ଅନୁଯାୟୀ, ତାମିଲନାଡୁରୁ କିଛି ଶ୍ରମିକଙ୍କୁ ନେଇ ଏକ ବସ୍‌‌ ଭଦ୍ରକ ଆସୁଥିବା ବେଳେ କଟକ ଜିଲ୍ଲାର ଟାଙ୍ଗୀ ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏଥିରେ ୧୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ସମସ୍ତ ଆହତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡିକାଲରେ ଭର୍ତି କରାଯାଇଛି। ଖବର ପାଇ ଟାଙ୍ଗୀ ପୁଲିସ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହିତ ଘଟଣାର ତଦନ୍ତ କରୁଛି। ପ୍ରବାସୀ ଶ୍ରମିକମାନଙ୍କୁ ନେଇ ଯାଉଥିବା ବସ୍‌ଟି ରାସ୍ତାରେ ଛିଡା ହୋଇଥିବା ଏକ ଟ୍ରକ୍‌କୁ ପଛପଟୁ ଧକ୍କା ଦେବା ଫଳରେ ଏହି ଅଘଟଣ ଘଟିଥିଲା।